Odisha Link
Bridging the Missing Links in Odisha

ଆସୁଛି ଗଣେଶ ପୂଜା, ଓଡ଼ିଶାରେ ଲାଗି ହୁଏ ଏହି ଭୋଗ

ଓଏଲ୍‌ ବ୍ୟୁରୋ: ଭାଦ୍ରବ ମାସର ଶୁକ୍କ ପକ୍ଷ ଚତୁର୍ଥୀ ତିଥିରେ ପ୍ରତିବର୍ଷ ପାଳିତ ହୁଏ ଗଣେଶ ପୂଜା। ଚଳିତବର୍ଷ ଅଗଷ୍ଟ ୨୨ ତାରିଖରେ ପାଳିତ ହେବ ଗଣେଶ ପୂଜା। ହେଲେ ଏଥର କରୋନା କଟକଣା ପାଇଁ ଧୁମଧାମରେ ପାଳିତ ହୋଇ ପାରିବ ନାହିଁ ପୂଜା। ହେଲେ ଗଜାନନଙ୍କୁ ଧରାପୃଷ୍ଠରେ ଅବତରଣ କରିବା ପାଇଁ ସମସ୍ତେ ଅନେଇ ବସିଛନ୍ତି। ଲଡ଼ୁ ପ୍ରିୟ ଗଣେଶ ଭିନ୍ନ ଭିନ୍ନ ଢଙ୍ଗରେ ତାଙ୍କର ସ୍ୱାଗତ ପାଇଁ ଆରମ୍ଭ ହୋଇଗଲାଣି ଆୟୋଜନ। ଗଣେଶଙ୍କୁ ଭୋଗ ଲାଗି କରିବା ପାଇଁ ଦେଶ ବିଦେଶରେ ଭିନ୍ନ ଭିନ୍ନ ଭୋଗ ପ୍ରସ୍ତୁତି ହୋଇଥାଏ। ସେହିଭଳି ଓଡ଼ିଆ ପରମ୍ପରାରେ ବି ଗଜାନନଙ୍କ ପାଇଁ ସ୍ୱତନ୍ତ୍ର ଭୋଗ ଲାଗି କରାଯାଏ। ଜାଣନ୍ତୁ ଓଡ଼ିଆ ଘରେ ଭଗବାନ ଗଣେଶଙ୍କୁ କ’ଣ ଭୋଗ କରାଯାଏ।

ଲଡ଼ୁ: ଗଜାନନଙ୍କ ପ୍ରିୟ ଭୋଗ ହେଉଛି ଲଡ଼ୁ। ତାଙ୍କୁ ଏଥିପାଇଁ ଲଡ଼ୁ ପ୍ରିୟ ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆମାନେ ଲଡ଼ୁ ଭୋଗକରି ଗଣେଶଙ୍କୁ ପୂଜା କରିଥା’ନ୍ତି। ସ୍କୁଲର ଛୋଟ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ସହରର ବଡ଼ ବଡ଼ ଲୋକମାନେ ଲଡ଼ୁ ପୂଜା କରି ଭଗବାନ ଗଣେଶକୁ ସୁମରଣା କରନ୍ତି।

ଚୂଡ଼ା ଘସା: ଓଡ଼ିଶାର ଗାଁ ଗହଳିରେ ଗଣେଶଙ୍କ ପାଖରେ ପୂଜା ପାଏ ଚୂଡ଼ା ଘସା ଭୋଗ। ଚୂଡ଼ାକୁ ଗୁଣ୍ଡକରି ଏଥିରେ ଅନ୍ୟ ସବୁ ବ୍ୟଞ୍ଜନ ମିଶାଇ ପ୍ରସ୍ତୁତ କରାଯାଏ ଚୂଡ଼ା ଘସା। ଏହାପରେ ତାକୁ ଠାକୁରଙ୍କ ପାଖରେ ଭୋଗଲାଗି କରି ପୂଜା କରାଯାଇଥାଏ। ସାଧାରଣ ଓଡ଼ିଆ ପରିବାରରେ ଏହା ଏକ ସାଧାରଣ ଭୋଗ ଭାବରେ ପରିଚିତ।

ସେଓ ବୁନ୍ଦି: ଓଡ଼ିଆ ପରିବାରର ଘରେ ଘରେ ଠାକୁରଙ୍କ ପାଖରେ ପୂଜା ହୋଇଥାଏ ସେଓ ବୁନ୍ଦି। ଯେକୌଣସି ପ୍ରକାର ମାଙ୍ଗଳିକ କାମରେ ଭୋଗ ଆକାରରେ ଠାକୁରଙ୍କ ପାଖରେ ସ୍ଥାନ ପାଏ ସେଓବୁନ୍ଦି। ଗଣେଶଙ୍କ ଆରାଧନା ହେଉଥୁବା ବିଭିନ୍ନ ପୂଜା କମିଟିରେ ସେଓବୁନ୍ଦି ଭୋଗ କରାଯାଇ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ। ଏହା ଏକ ଓଡ଼ିଆ ପୂଜାଭୋଗ ଭାବରେ ପରିଚିତ।

ନଡ଼ିଆ ଓ କଦଳୀ: ସାଧାରଣତଃ ସମସ୍ତ ପୂଜାରେ ଠାକୁରଙ୍କ ପାଖରେ ଲାଗି ହୋଇଥାଏ ନଡ଼ିଆ ଓ କଦଳୀ। ନଡ଼ିଆକୁ ସାଧାରଣତଃ ସବୁ ପୂଜାରେ ଆଗରେ ରଖାଯାଇଥାଏ। ଏହି ନଡ଼ିଆ ସହ ଭୋଗଥାଳିରେ ସ୍ଥାନପାଏ କଦଳୀ।

Comments are closed.