Odisha Link
Bridging the Missing Links in Odisha

ମସ୍ତକ ବିହୀନ ଗଣେଶ, ପୂଜା ପାଇଥାନ୍ତି ଏହି ଜାଗାରେ

ଓଏଲ୍‌ ବ୍ୟୁରୋ: ଆଗକୁ ଆସୁଛି ବିଘ୍ନ ବିନାଶକ ଉତ୍ସବ। ପ୍ରତିବର୍ଷ ଗଣେଶ ଚତୁର୍ଥୀରେ ପାଳନ ହୋଇଥାଏ ବିଘ୍ନ ବିନାଶକଙ୍କ ପୂଜା। ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ ଗଣେଶ ପୂଜା। ତେବେ ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଆପଣ କେବେ ଏପରି ମନ୍ଦିର ବିଷୟରେ ଶୁଣିଛନ୍ତି କି, ଯେଉଁଠାରେ ଭଗବାନ ଗଣେଶଙ୍କ ମସ୍ତକ ନଥିବା ପ୍ରତିମା ପୂଜା କରାଯାଇଥାଏ। ଏକଥା ଶୁଣବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଏକ ବିରଳ ଓ ବିଚିତ୍ର ମନ୍ଦିରଟିଏ ଉତ୍ତରାଖଣ୍ତର କେଦାରନାଥ ଉପତ୍ୟକାରେ ଅବସ୍ଥିତ। ଗର୍ଭଗୃହରେ ମସ୍ତକ ବିହୀନ ପ୍ରଭୁ ଗଣେଶ ପୂଜାପାଉଛନ୍ତି। ଯାହା ଏହି ମନ୍ଦିରର ଏକ ପ୍ରମୁଖ ବିଶେଷତ୍ବ। ମନ୍ଦିରର ନାଁ ‘ମୁଣ୍ତକଟିୟା’। ‘ମୁଣ୍ତକଟିୟା’ ଦୁଇଟି ଶବ୍ଦର ସମାହାର ‘ମୁଣ୍ତ’ ଅର୍ଥ ମସ୍ତକ ଓ ‘କଟିୟା’ ଅର୍ଥ କଟା ବା ଛେଦନ। ଏଥିପାଇଁ ମନ୍ଦିରଟି ଏପରି ଭାବେ ନାମିତ ହୋଇଥିବା କୁହାଯାଏ।

ସୋନପ୍ରୟାଗ ଠାରୁ ଏହ ତିନି କିଲୋମିଟର ଦୂରରେ ଅବସ୍ଥିତ। ମନ୍ଦିରକୁ ଲାଗି ମନ୍ଦାକିନୀ ନଦୀ ପ୍ରବାହିତ। ମୁଣ୍ତ ନଥିବା ଏପରି ଗଣେଶ ମନ୍ଦିର ଅନ୍ୟ କୌଣସି ସ୍ଥାନରେ ନାହିଁ। ଏହି ସ୍ଥାନରେ ଗଣେଶଙ୍କ ମୁଣ୍ତ ଭଗବାନ ଶିବଙ୍କ ଦ୍ବାରା ଛେଦନ ହୋଇଥିବା ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ।

ପୁରାଣ ଅନୁସାରେ, ଏକଦା ଦେବୀ ପାର୍ବତୀ ସ୍ନାନ ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଭିତରକୁ ଅନ୍ୟ କାହାରି ପ୍ରବେଶକୁ ନିଷିଦ୍ଧ କରାଇଥିଲେ ଦେବୀ ପାର୍ବତୀ। ଏଥି ପାଇଁ ଶିବଙ୍କ ବାହନ ନନ୍ଦିଙ୍କୁ ସେ ଦ୍ବାରପାଳ ଭାବେ ନିୟୋଜିତ କରିଥିଲେ। ହଠାତ୍ ଭଗବାନ ଶିବ ସେଠାରେ ପହଞ୍ଚିଥିଲେ ଏବ˚ ନନ୍ଦି ତାଙ୍କୁ ସ୍ବାଭାବିକ ଭାବେ ଭିତରକୁ ଛାଡ଼ି ଦେଇଥିଲେ। କାରଣ ନନ୍ଦି ଥିଲେ ଶିବଙ୍କର ଏକାନ୍ତ ଅନୁଗତ। ପାର୍ବତୀ ଏଥିରେ କ୍ଷୋଭ ପ୍ରକାଶ କରିବା ସହିତ ନିଜ ଦେହର ମଳିରୁ ଗଣେଶଙ୍କୁ ପୁତ୍ର ଭାବେ ସୃଷ୍ଟି କରିଥିଲେ।

ପରବର୍ତ୍ତୀ ସମୟରେ ପାର୍ବତୀ ସ୍ନାନ ପାଇଁ ଯାଇଥିବା ବେଳେ, ଦ୍ବାରପାଳ ଭାବେ ଜଗିଥିଲେ ପୁତ୍ର ଗଣେଶ। ମାତାଙ୍କ ଆଜ୍ଞା ଅନୁସାରେ, ସେ ଶିବଙ୍କୁ ଭିତରକୁ ଯିବାକୁ ବାରଣ କରିବାରୁ ଶିବ ଅପମାନିତ ବୋଧ କରିଥିଲେ ଏବ˚ କ୍ରୋଧିତ ହୋଇ ଏହି ସ୍ଥାନରେ ଗଣେଶଙ୍କ ଶିର ଛେଦନ କରିଥିଲେ। ପରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାଧ୍ୟମରେ ଗଣେଶଙ୍କ ଶରୀରରେ ହସ୍ତୀର ମସ୍ତକ ଯୋଡ଼ାଯାଇଥିଲା ଏବ˚ ଗଣେଶ ପୁନର୍ଜୀବନ ପାଇଥିଲେ।

Comments are closed.