ଗୁରୁଦିବସରେ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର

ଭୁବନେଶ୍ୱର: ଆଜି ପବିତ୍ର ଗୁରୁଦିବସ। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଏ। ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏହା ଏକ ପବିତ୍ର ଦିନ। ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ କରାଯାଇଥାଏ।। ଆଜି ଏହି ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। କରୋନା କଟକଣା ପାଇଁ ଚଳିତ ବର୍ଷ ଭିଡ଼ିଓ କନଫରେନ୍ସିଂ ଜିରିଆରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଚଳିତ ବର୍ଷ ଦେଶର ମୋଟ ୪୭ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଶିକ୍ଷକ ଶ୍ରୀ ତାପସ କୁମାର ମହାନ୍ତି ଓ ବୌଦ୍ଧ ଜିଲ୍ଲା ହରଭଙ୍ଗାର ସରସରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ମୁଖ୍ୟ ଶିକ୍ଷକ ଶ୍ରୀ ବସନ୍ତ କୁମାର ସାହୁଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି।
ତାପସ କୁମାର ମହାନ୍ତି ଦୃଷ୍ଟିହୀନ ବିଦ୍ୟାଳୟରେ ଜଣେ ଅଭିଜ୍ଞ ଶିକ୍ଷକ ଭାବେ ଦକ୍ଷ ପଦ୍ଧତ୍ତିରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦନ ଦେଉଛନ୍ତି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ସେ ପୁସ୍ତକ ସହ ଅଡ଼ିଓ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି । ସେହିଭଳି ଛାତ୍ରଛାତ୍ରୀଙ୍କୁ ଅଭିନବ ଉପାୟରେ ପଠାପଢାଇ ସର୍ବଦା ପ୍ରଶଂସା ସାଉଁଟିଛନ୍ତି ବସନ୍ତ କୁମାର ସାହୁ। ସେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ କଣ୍ଢେଇର ବ୍ୟବହାର କରିଥାନ୍ତି। ଯାହାଫଳରେ ପିଲାମାନେ ସହଜରେ ପାଠ ବୁଝି ପାରିଥାନ୍ତି।