‘ଦିଲ୍ଲୀପ ଶତପଥୀ ଥିଲେ ଅଜାତଶତ୍ରୁ’

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥୀ ଥିଲେ ଅଜାତଶତ୍ରୁ। ଓଡ଼ିଶାର ସାମ୍ବାଦିକ ଜଗତକୁ ତାଙ୍କର ବହୁମୂଲ୍ୟ ଅବଦାନ ରହିଛି। ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସାମ୍ବାଦିକ ଭାବେ ସେ ଯେତିକି ପ୍ରତିଷ୍ଠା ଅର୍ଜନ କରିଥିଲେ, ଜଣେ ବନ୍ଧୁବତ୍ସଳ ଓ ଛାତ୍ର ବତ୍ସଳ ବ୍ୟକ୍ତି ଭାବେ ସେ ସେତିକି ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇପାରିଥିଲେ। ଯନ୍ତ୍ରଣା ଭିତରେ ବି ସେ ହସୁଥିଲେ, ସମସ୍ତଙ୍କୁ ହସାଉଥିଲେ। ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ହିଁ ସଭିଙ୍କ ହୃଦୟରେ ତାଙ୍କୁ ସ୍ଥାନୀତ କରିପାରିଛି। ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ସ୍ମରଣିକା ‘ଦିଲ୍ଲୀପ ଦୀପିକା’ ଉନ୍ମୋଚିତ ହୋଇଥିଲା।
ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଯୁବ ସାମ୍ବାଦିକ ଓ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ମାନୀତ କରାଯିବା ସହ ସ୍ମାରକୀ ବକୃତା ମାଳା ଆୟୋଜନ କରାଯିବ ବୋଲି ସ୍ୱର୍ଗତ ଶତପଥିଙ୍କ ଭାଇ ତଥା ମ୍ୟାନେଜିଂ ଟ୍ରଷ୍ଟି ଦୀନବନ୍ଧୁ ଶତପଥୀ ସୂଚନା ଦେଇଥିଲେ।
ଦିଲୀପ ଶତପଥୀ ମେମୋରିଆଲ ଟ୍ରଷ୍ଟ ଆନକୂଲ୍ୟରେ ଆୟୋଜିତ ଏକ ୱେବ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଦିଲ୍ଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ସ୍ୱର୍ଗତ ଶତପଥୀଙ୍କର ସ୍ମୃତି ଚାରଣ କରିଛନ୍ତି। ପ୍ରତିଷ୍ଠିତ ସମାଜସେବୀ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୱେବ ସମ୍ମିଳନୀରେ ଅଶୋକ ବେହେରା, ପ୍ରହଲ୍ଲାଦ ହୋତା, ଖାଲିଦ ପରଭେଜ, ସନ୍ଦୀପ ମିଶ୍ର, ବିଜୟିତା ଦାସ, ସାଂସଦ ଡକ୍ଟର ସସ୍ମିତ ପାତ୍ର, ତ୍ରିନାଥ ଲେଙ୍କା, ସୁବ୍ରତ କୁମାର ପତି, ବିଜୟ ନାୟକ, ବିରୁପାକ୍ଷ ତ୍ରିପାଠୀ, ଟିକାୟତ ନାୟକ, ପ୍ରଦୁ୍ୟମ୍ନ ପଣ୍ଡା ଓ ଦେବଦତ ପତି ପ୍ରମୁଖ ସ୍ୱର୍ଗତ ଶତପଥୀଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।
ସେହିପରି ଶୁଭ୍ରାଂଶୁ ପଣ୍ଡା, ଉମାକାନ୍ତ ପାତ୍ର, ଡକ୍ଟ ପ୍ରଭାସ ମିଶ୍ର, ଅକ୍ଷୟ କୁମାର ସାହୁ, ରାମଚଣ୍ଡୀ ପ୍ରସାଦ ରଣସିଂହ, ଜିତେନ୍ଦ୍ର ଜେନା ଓ ଅମ୍ରିତ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।