Odisha Link
Bridging the Missing Links in Odisha

କୃଷି ବିଲ୍‌କୁ RSS କୃଷକ ସଂଘର ବିରୋଧ

ନୂଆଦିଲ୍ଲୀ: ପୂର୍ବରୁ ଲୋକସଭାରେ ପାରିତ ହୋଇଥିବା କୃଷି ବିଲ୍‌ ଆଜି ରାଜ୍ୟସଭାରେ ପାରିତ ହୋଇଛି। ପ୍ରଧାନମନ୍ତ୍ରୀ ଏହି ବିଲ୍‌କୁ ଐତିହାସିକ ବୋଲି କହିଛନ୍ତି। ଅନ୍ୟପଟେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର କୃଷକ ଶାଖା ଭାରତୀୟ କିସାନ୍‌ ସଂଘ (BKS) ଏହି ବିଲ୍‌ଗୁଡ଼ିକୁ ବିରୋଧ କରିଛି।

କୃଷି ବିଲ୍‌ ୨୦୨୦ କର୍ପୋରେଟ୍‌ ପାଇଁ ପଥ ସୁଗମ କରିଥିବା ବେଳେ କୃଷକଙ୍କ ଜୀବନ ଅଧିକ ଦୁର୍ବିସହ କରିବ ବୋଲି ବିକେଏସ୍‌ର ମହାସଚିବ ବଦ୍ରି ନାରାୟଣ ଚୌଧୁରୀ ଏକ ସାକ୍ଷାତକାରରେ କହିଛନ୍ତି। ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଚୌଧୁରୀ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେ ଚାଷୀଙ୍କ ସହ ରହିଛୁ। ବିକେଏସ୍‌ କୌଣସି ସୁଧାର ବା ବିକଳ୍ପ ବ୍ୟବସ୍ଥାର ବିରୋଧୀ ନୁହେଁ। କିନ୍ତୁ ଏହି ବିଲ୍‌ରେ ଅନେକ ତ୍ରୁଟି ରହିଛି ଯାହା ଚାଷୀଙ୍କ ସ୍ବାର୍ଥର ପରିପନ୍ଥୀ ବୋଲି ସେ କହିଛନ୍ତି ଯେ।

ଏପିଏମ୍‌ସି ଆଇନ ଅଧିନରେ ବ୍ୟବସାୟୀଙ୍କ ପାଇଁ ଲାଇସେନ୍ସ ପ୍ରକ୍ରିୟାକୁ କୃଷି ବିଲ୍‌ରେ ସୁଗମ କରି ଦିଆଯାଇଛି। ଏହା ଦ୍ବାରା ପ୍ୟାନ୍‌ କାର୍ଡ ଧାରୀ ଯେ କୌଣସି ବ୍ୟକ୍ତି ଚାଷୀଙ୍କ ସହ ବ୍ୟବସାୟ କରିପାରିବ ବୋଲି ଚୌଧୁରୀ କହିଛନ୍ତି। କୃଷକମାନେ ଉପଯୁକ୍ତ ମୂଲ୍ୟ ପାଇବା ନେଇ ସେ ସନ୍ଦେହ ପ୍ରକଟ କରିଛନ୍ତି। ସେହିପରି ବିଲ୍‌ରେ ଥିବା ବିବାଦ ନିବାରଣ (Dispute Redressal) ବ୍ୟବସ୍ଥା ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ସେ କହିଛନ୍ତି।

ଦେଶରେ ପ୍ରାୟ ୮୦ ପ୍ରତିଶତ ଚାଷୀ କ୍ଷୁଦ୍ର ଅଥବା ନାମମାତ୍ର ଚାଷୀ। “ଗୋଟିଏ ଦେଶ ଗୋଟିଏ ବଜାର” ସେମାନଙ୍କ ପାଇଁ କାମ ଦେବନି ବୋଲି ଚୌଧୁରୀ କହିଛନ୍ତି। ବରଂ ଏହା ବଡ଼ ବଡ଼ କର୍ପୋରେଟ୍‌ ସଂସ୍ଥା ଓ ବଡ଼ ଚାଷୀଙ୍କୁ ଲାଭବାନ କରାଇବ ବୋଲି ସେ ଯୁକ୍ତି କରିଛନ୍ତି। ବିଲ୍‌ରେ କହାଯାଇଛି ଚାଷୀ ଓ କର୍ପୋରେଟ୍‌ ଆପୋଷ ବୁଝାମଣାରେ ଉତ୍ପାଦର ମୂଲ୍ୟ ଓ ଦେୟ ବ୍ୟବସ୍ଥା ନିର୍ଧାରଣ କରିବେ। ଏକରେ ଦି ଏକରେ ଜମି ଥିବା ଚାଷୀଟିଏ ବଡ଼ କର୍ପୋରେଟ୍‌ ସାଙ୍ଗରେ ମୂଲଚାଲ କରିପାରିବ କି ବୋଲି ଚୌଧୁରୀ ପ୍ରଶ୍ନ ଉଠାଇଛନ୍ତି। ଦେଶରେ ୨୨ ହଜାର ନୂଆ ମଣ୍ଡି ଥିବା କଥା ଗତ ଦୁଇ ବର୍ଷର ବଜେଟ୍‌ରେ ଏନ୍‌ଡିଏ ସରକାର ଦାବି କରି ଆସୁଛି। ଏ ମଣ୍ଡିଗୁଡ଼ିକ କେଉଁଠି ଖୋଲିଛି ବୋଲି ଚୌଧୁରୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ତ୍ରୁଣମୂଳ ସ୍ତର ସହ ଆଦୌ ସମ୍ପର୍କ ନଥିବା ପ୍ରଶାସକମାନେ କୃଷି ଓ ଖାଦ୍ୟ ବିଭାଗ ଚଳାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଚୌଧୁରୀ କହିଛନ୍ତି ଯେ ଏ ବିଲ୍‌ସମୁହ ଚାଷୀଙ୍କର ସ୍ବାର୍ଥରେ ଲାଗିବ ନାହିଁ। ଏହି ବିଲ୍‌କୁ ହଟାଇବା ପାଇଁ ଦେଶ ବ୍ୟାପୀ ଚାଷୀକୂଳ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିକେଏସ୍‌ର ବହୁ ଗ୍ରାମ୍ୟ ଶାଖା ଏହି ବିଲ୍‌ ବିରୋଧରେ ସଂକଳ୍ପ ପ୍ରସ୍ତାବ ରଖିଛନ୍ତି। ଆମେ ଅନ୍ୟ ଆର୍‌ଏସ୍‌ଏସ୍‌ ଅନୁବନ୍ଧିତ ସଂଗଠନ ଓ ଭାରତୀୟ ଜନତା ପାର୍ଟିର ନେତାଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଇଛୁ।

ରାଜ୍ୟସଭାରେ ବିଲ୍‌ ପାରିତ ହେବା ପୂର୍ବରୁ ନିଆଯାଇଥିବା ଏ ସାକ୍ଷାତକାରରେ ଚୌଧୁରୀ ଦୃଢ଼ୋକ୍ତି ବାଢ଼ିଥିଲେ ଯେ ବିକେଏସ୍‌ ଦେଇଥିବା ପ୍ରସ୍ତାବକୁ ସରକାର ବିଚାରକୁ ନେଇ ବିଲ୍‌ରେ ପରିବର୍ତ୍ତନ ଆଣିବେ। କିନ୍ତୁ ଅପରିବର୍ତ୍ତିତ ଦୁଇଟି କୃଷି ବିଲ୍‌ ଆଜି ରାଜ୍ୟସଭାରେ ପାରିତ ହେବା ସହ ଏହା ଆଇନରେ ପରିଣତ ହେବାର ପଥ ପରିସ୍କାର ହୋଇଛି।