ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା

ଭଦ୍ରକ: ମଦ ମାଫିଆଙ୍କୁ ରାସ୍ତାରେ ଚଲାଇଲେ ମହିଳା ଗୋଷ୍ଠୀ। ମଦ ପେଟିକୁ ଧରାଇ ରାସ୍ତାରେ ଚଲାଇଲେ। ପରେ ଛାଞ୍ଚୁଣିରେ ମାଡ଼ ମାରି ଥାନାକୁ ଆଣିଲେ। ମଦ ବେପାରୀକୁ ଏମିତି ପେଟେଣ୍ଟ ମେଡ଼ିସିନ ଦେବା ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ।
ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଗାଁର ଚୋରା ମଦ ବେପାରୀଙ୍କୁ ବାଇକ ଯୋଗେ ମଦ ଯୋଗାଇଥାନ୍ତି। ପୂର୍ବରୁ ଏହି ଚୋରା ମଦ ବେପାରୀ ମହିଳାଙ୍କ ଠାରୁ ମାଡ଼ ମଧ୍ୟ ଖାଇଥିବା ସୂଚନା ମିଳିଛି। ତେବେ ପୁଣି ବାଇକରେ ମଦ ନେଇ ବେପାରୀଙ୍କ ନିକଟକୁ ଯାଉଥିବା ଖବର ପାଇଥିଲେ ମହିଳା ଗୋଷ୍ଠୀ। କୋଲହ ପେଟ୍ରୋଲ ଟାଙ୍କି ନିକଟରେ ବେପାରୀକୁ ଅଟକାଇବାରୁ ବାଇକ ପଛରେ ପେଟିରେ ବନ୍ଧା ହୋଇଥିବା ଆସ୍କା -୪୦ ର ୮ରୁ ଅଧିକ ପେଟି ମଦ ମିଳିଥିଲା।
ବେପାରୀକୁ ଅଟକାଇ ତା ବାଇକରୁ ମଦ ପେଟି ଓଲ୍ହାଇବା ସହ ପେଟିକୁ ଧରାଇ ଚଲାଇ ଚଲାଇ ପ୍ରାୟ ୩ କିଲୋମିଟର ଦୂର ତିହିଡି ଥାନାକୁ ଆଣିଥିଲେ। ମହିଳା ମାନେ ଛାଞ୍ଚୁଣିରେ ମାଡ଼ ମଧ୍ୟ ଦେଉଥିଲ। ସେଠାରେ ମଦକୁ ବେପାରୀ ଉପରେ ଢାଳିଥିଲେ। ପରେ ତିହିଡି ଥାନାକୁ ହସ୍ତାନ୍ତର କରିଥିଲେ। ତେବେ ସମ୍ପୃକ୍ତ ବ୍ୟକ୍ତିକୁ ତାଗିଦ ସତ୍ତ୍ୱେ ସେ ବାରମ୍ବାର ଚୋରାରେ ମଦ ନେଇ ଗାଁ ବେପାରୀଙ୍କୁ ଯୋଗାଉଥିବା ସୂଚନା ମିଳିଛି। ଚୋରା ମଦ ବେପାରୀର ନାମ ଗୋରା ବୋଲି ସୂଚନା ମିଳିଥିବା ବେଳେ ପୁଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।