ଯୌନଶୋଷଣ ଅଭିଯୋଗ ମାମଲା: ଅନୁରାଗ କଶ୍ୟପଙ୍କୁ ସମନ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନଶୋଷଣ ଅଭିଯୋଗ ନେଇ ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ପାୟଲ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି।
ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ ସମନ ପଠାଇଛି ମୁମ୍ବାଇ ପୋଲିସ୍। ଅର୍ଥାତ୍ ଗୁରୁବାର ତାଙ୍କୁ ବର୍ସୋବା ପୋଲିସ୍ ଷ୍ଟେସନରେ ଉପସ୍ଥିତ ହେବାକୁ କୁହାଯାଇଛି। ପାୟଲ ଘୋଷ ମୁମ୍ବାଇର ବର୍ସୋବା ଥାନାରେ ଅନୁରାଗଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ହେଲେ ଅନୁରାଗ କଶ୍ୟପଙ୍କୁ ଏଯାଏଁ ପୁଲିସ ଗିରଫ୍ କରିନଥିବା ନେଇ ଅସନ୍ତୋଷ ଜାହିର କରିଛନ୍ତି ପାୟଲ ଘୋଷ। ସେ ଦାବି କରିଛନ୍ତି କି ଯଥାଶୀଘ୍ର ଅନୁରାଗ କଶ୍ୟପଙ୍କୁ ଗିରଫ କରାଯାଉ।
ସୂଚନା ମୁତାବକ, ଅସଦାଚରଣ ଅଭିଯୋଗ ଆଣି ଅନୁରାଗଙ୍କ ନାମରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ଅଭିନେତ୍ରୀ। ଏହାବ୍ୟତୀତ ଅଭିନେତ୍ରୀ ତାଙ୍କୁ ଭୁଲ୍ ଭାବେ ଅଟକ ରଖିବା, ଷଡ଼ଯନ୍ତ୍ର କରିବା ଏବଂ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା ଅଭିଯୋଗରେ ମଧ୍ୟ ଏତଲା ରୁଜୁ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଇପିସିର ଧାରା ୩୭୬, ୩୫୪, ୩୪୧,୩୪୨ ଅଧୀନରେ ନିର୍ମାତାଙ୍କ ନାମରେ ଅଭିଯୋଗ ହୋଇଛି। ଆଇପିସିର ଧାରା ଅନୁଯାୟୀ ଏତଲା ରୁଜୁ ହେବା ସହ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଛି।