Odisha Link
Bridging the Missing Links in Odisha

ବର୍ଷା ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓଡ଼ିଶା ଉପକୂଳରେ ସୃଷ୍ଟ ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଗତକାଲି ୧୧ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

୪ ତାରିଖ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ଼, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହିଭଳି ରାଜ୍ୟରେ ୬ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୭ ତାରିଖ ବେଳକୁ ବର୍ଷାର ପରିମାଣ କମିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ୪୦ରୁ ୫୦ କିମି ଘଣ୍ଟାପ୍ରତି ବେଗର ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଭିତରକୁ ମତ୍ସ୍ୟଜୀବୀମାନେ ୫ ତାରିଖ ଯାଏଁ ପ୍ରବେଶ ବାରଣ କରାଯାଇଛି।

Comments are closed.