ହାଥରସ ମାମଲା, ନାବାଳିକା ସହ ଦୁଷ୍କର୍ମ ହୋଇନି: ବିନୟ କଟିୟାର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଜାରି ରହିଥିବା ବେଳେ ବିଜେପି ନେତା ବିନୟ କଟିୟାର ହାଥରାସ ଗଣଦୁଷ୍କର୍ମ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ହାଥରସରେ ନାବାଳିକା ସହ କୌଣସି ଦୁଷ୍କର୍ମ ହୋଇନାହିଁ। ପୀଡିତାଙ୍କ ମେରୁଦଣ୍ଡରେ ଆଘାତ ଲାଗିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଉତ୍ତର ପ୍ରଦେଶରେ ସବୁ ଠିକ ଅଛି। ଯୋଗୀ ସରକାରରେ କିଛି ଗଡବଡ ହେବାର ନାହିଁ ବୋଲି କଟିୟାର କହିଛନ୍ତି। ବାବ୍ରୀ ମସଜିଦ ଉପରେ ମଧ୍ୟ ସେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ, ବାବ୍ରୀ ନାଁରେ କିଛି ଜିନିଷ ନାହିଁ। ସେ ଏକ ଜରାଜୀର୍ଣ୍ଣ ଘର ଥିଲା ଯାହା ଭାଙ୍ଗି ପଡିଥିଲା।
ସୂଚନାଯୋଗ୍ୟ: ଉତ୍ତର ପ୍ରଦେଶର ହାଥରସରେ ଏକ ନାବାଳିକାକୁ ୪ ଜଣ ଦୁର୍ବତ୍ତ ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ। ଏହାସହ ତାଙ୍କ ମେରୁଦଣ୍ଡ ମଧ୍ୟ ଭାଙ୍ଗି ଦେଇଥିଲେ। ପରେ ନାବାଳିକା ଜଣଙ୍କର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଏବେ ଉତ୍ତେଜନା ଜାରି ସୃଷ୍ଟି ହୋଇଛି।