ମଧ୍ୟପ୍ରଦେଶ: ହାଜତ ଭିତରେ ୧୦ ଦିନ ଯାଏଁ ଯୁବତୀଙ୍କୁ ଧର୍ଷଣ କଲେ ୫ ପୁଲିସ

ଭୋପାଳ: ହାଜତ ଭିତରେ ଜଣେ ୨୦ ବର୍ଷୀୟ ଅଭିଯୁକ୍ତ ଯୁବତୀଙ୍କୁ ୫ ଜଣ ପୁଲିସ କର୍ମଚାରୀ ୧୦ ଦିନ ଯାଏଁ ଧର୍ଷଣ କରିବାର ଅଭିଯୋଗ ହୋଇଛି। ଘଟଣା ମେ ମାସରେ ଘଟିଥିଲେ ବି ଅକ୍ଟୋବର ୧୦ ତାରିଖରେ ଏକ ନ୍ୟାୟିକ ଗୋଷ୍ଠୀ ଜେଲ୍ ପରିଦର୍ଶନରେ ଯାଇଥିବା ବେଳେ ଘଟଣା ସାମନାକୁ ଆସିଛି।
ରେଓ୍ବା ଜିଲ୍ଲା ମଙ୍ଗଓ୍ବାନ ସହରରେ ଏ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପୀଡ଼ିତା। ଏକ ହତ୍ୟା ମାମଲାରେ ଗିରଫ ହୋଇ ହାଜତରେ ଥିବା ବେଳେ ମେ’ ୯ରୁ ୨୧ ତାରିଖ ଭିତରେ ୫ ଜଣ ପୁଲିସ କର୍ମଚାରୀ ତାଙ୍କୁ ୧୦ ଦିନ ଯାଏଁ ଧର୍ଷଣ କରିଥିଲେ ବୋଲି ପୀଡ଼ିତା କହିଛନ୍ତି। ଅତିରିକ୍ତ ଜିଲ୍ଲା ବିଚାରପତି, ଦୁଇଜଣ ଆଇନଜୀବୀ ଓ ଜଣେ ଆଇନ ଅଧିକାରୀ ଅକ୍ଟୋବର ୧୦ ତାରିଖରେ ରେଓ୍ବା କାରାଗାରକୁ ଯାଇ କଏଦୀମାନଙ୍କ ସହ ଭାବବିନିମୟ ବେଳେ ଯୁବତୀ ଜଣକ ଏହି କଥା ଜଣାଇଛନ୍ତି।
ପୂର୍ବରୁ କାହିଁକି ଏ ନେଇ ସେ ଜଣାଇଲେ ନାହିଁ ବୋଲି ନ୍ୟାୟିକ ଗୋଷ୍ଠୀ ଯୁବତୀଙ୍କୁ ପ୍ରଶ୍ନ କରିଥିଲେ। ନ୍ୟାୟିକ ଗୋଷ୍ଠୀରେ ସାମିଲ ଆଇନଜୀବୀ ସତୀଶ ମିଶ୍ର ଟାଇମ୍ସ ଅଫ୍ ଇଣ୍ଡିଆକୁ ଏ ନେଇ ସୂଚନା ଦେବାବେଳେ କହିଛନ୍ତି ଯେ ଯୁବତୀ ଜଣକ ଏ ନେଇ ୩ ମାସ ତଳେ ଜେଲ ଓ୍ବୋର୍ଡନଙ୍କୁ କହିଥିଲେ। ଥାନା ଭଳି ଜେଲରେ ପୁଲିସ ଥିବାରୁ ପରେ ସେ ଆଉ ଏ ବାବଦରେ କାହାକୁ ଜଣାଇବା ଲାଗି ସାହସ କରି ନଥିଲେ। ଯଦି ଧର୍ଷଣ ବାବଦରେ ଯୁବତୀ ଜଣକ କାହାକୁ କହନ୍ତି ତେବେ ତାଙ୍କ ବାପାଙ୍କୁ ମଧ୍ୟ ଉକ୍ତ ହତ୍ୟା ମାମଲାରେ ଫସାଇ ଦିଆଯିବ ବୋଲି ଧର୍ଷଣକାରୀ ପୁଲିସ ତାଙ୍କୁ ଧମକ ଦେଇଥିଲେ।
ଜେଲ ଓ୍ବାର୍ଡେନ୍ ଯୁବତୀଙ୍କ ଦାବି ସତ ବୋଲି ମାନିଛନ୍ତି। ମେ’ ମାସରେ ଗଣଧର୍ଷଣର ଶିକାର ହୋଇ ଜେଲ ଆସିବା ପରେ ଯୁବତୀ ଜଣକ ତାଙ୍କୁ ଏ ନେଇ ସୂଚନା ଦେଇଥିଲେ ବୋଲି ଓ୍ବାର୍ଡେନ୍ ସ୍ବୀକାର କରିଛନ୍ତି। ଅତିରିକ୍ତ ଜିଲ୍ଲା ବିଚାରପତି ପୀଡ଼ିତା ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଯୁବତୀ ଜଣକ ମିଛ କହୁଛନ୍ତି ଓ ମେ’ ୯ରୁ ୨୧ ମଧ୍ୟରେ ସେ ହାଜତରେ ନ ଥିଲେ ବୋଲି ରେଓ୍ବା ଏସ୍ପି ରାକେଶ ସିଂହ ଗଣମାଧ୍ୟମକୁ ସଫେଇ ଦେଇଛନ୍ତି।