୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଆଇନଜୀବୀ

ଲଣ୍ଡନ: ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଆଇନଜୀବୀ ହରିଶ ସାଲଭେ । ସେ ତାଙ୍କର ବନ୍ଧୁ ତଥା ୫୬ ବର୍ଷୀୟ କାରୋଲିନ ବ୍ରୋସାର୍ଡଙ୍କ ହାତ ଖ୍ରୀଷ୍ଟଧର୍ମ ଅନୁଯାୟୀ ଧରିଛନ୍ତି। ବୁଧବାର ସାଲଭେ ଓ ବ୍ରୋସାର୍ଡଙ୍କ ବିବାହ ଉତ୍ସବ ପାଇଁ ଲଣ୍ଡନର ଏକ ଚର୍ଚ୍ଚରେ ସ୍ୱତନ୍ତ୍ର ପାର୍ଟିର ଆୟୋଜନ କରାଯାଇଥିଲା।
କରୋନା କଟକଣା ଯୋଗୁ ମାତ୍ର ୧୫ ଜଣ ଲୋକ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ କାରୋଲିନଙ୍କ ପରିବାର ଲୋକ ମଧ୍ୟ ରହିଥିଲେ। ବିବାହ ଉତ୍ସବରେ କାରୋଲିନ ଧଳା ପୋଷାକ ପିନ୍ଧିଥିବା ବେଳେ ସାଲଭେ କଳା ରଙ୍ଗର କୋଟ ପରିଧାନ କରି ବେଶ ଆକର୍ଷଣୀୟ ଲାଗୁଥିଲେ।
ସାଲଭେ ଓ କାରୋଲିନଙ୍କ ଏହା ଦ୍ୱିତୀୟ ବିବାହ। ଜୁନ ମାସରେ ସାଲଭେ ତାଙ୍କ ପ୍ରଥମ ପତ୍ନୀ ମୀନାକ୍ଷୀଙ୍କୁ ଛାଡ଼ପତ୍ର ଦେଇଥିଲେ। ୩୮ ବର୍ଷ ତଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପ୍ରଥମ ବିବାହ ଶେଷ କରିବା ପରେ ଏବେ ସେ ୬୫ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିଛନ୍ତି।
ହରିଶ ସାଲଭେଙ୍କର ଦୁଇଟି ଝିଅ ରହିଛନ୍ତି। ଜଣଙ୍କ ବୟସ ୩୭ ଓ ଆଉ ଜଣଙ୍କ ବୟସ ୩୩। ସେମାନେ ଦିଲ୍ଲୀ-ଏନସିଆରରେ ରୁହନ୍ତି। କାରୋଲିନଙ୍କର ମଧ୍ୟ ଗୋଟିଏ ଝିଅ ରହିଛନ୍ତି। କାରୋଲିନଙ୍କୁ ବିବାହ କରିବା ପାଇଁ ସାଲଭେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି ଓ ୨ ବର୍ଷ ହେଲା ସେ ଚର୍ଚ୍ଚ ମଧ୍ୟ ଯାଉଛନ୍ତି।
Comments are closed.