Odisha Link
Bridging the Missing Links in Odisha

ନିର୍ବାଚନ ପ୍ରଚାର ବେଳେ ବାଉଳା ହେଲେ ସାଂସଦ ସିନ୍ଧିଆ

ଭୋପାଲ: ଉପ ନିର୍ବାଚନ ପ୍ରଚାର ବେଳେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବାଉଳା ହୋଇଯାଇଛନ୍ତି। ମଧ୍ୟ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଯାଇ ସିନ୍ଧିଆ ହାତ ଚିହ୍ନରେ ବଟନ ଚାପି କଂଗ୍ରେସକୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ କରିଦେଲେ। ତୁରନ୍ତ ସେ ନିଜ ଭୁଲ ଜାଣିପାରିଲେ ଓ ପୁଣି ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଜନତାଙ୍କୁ ଅପିଲ କରିଥିଲେ। ସିନ୍ଧିଆଙ୍କ ଏହି ପ୍ରଚାରର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଭାଇରାଲ ଭିଡିଓରେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମୁହଁରୁ ପ୍ରଥମେ କଂଗ୍ରେସ ଓ ପରେ ବିଜେପିର ନାଁ ଶୁଣିବାକୁ ମିଳିଛି। ନିର୍ବାଚନ ପ୍ରଚାର ସମୟରେ ସିନ୍ଧିଆ କହିଛନ୍ତି, ‘ମୁଠା ବନ୍ଦ ରଖି ବିଶ୍ୱାସ ଦିଅ ଯେ ୩ ତାରିଖରେ ହାତ ଚିହ୍ନରେ ଭୋଟ ଦେଇ କଂଗ୍ରେସ…, ପଦ୍ମ ଫୁଲରେ ଭୋଟ ଦେଇ ବିଜେପିକୁ ଜିତାଇବା।’ ସିନ୍ଧିଆଙ୍କ ଏହି ବୟାନର ଭିଡିଓ ଟ୍ୱିଟରରେ ମଧ୍ୟ ସେୟାର୍ କରାଯାଇଛି। ଲୋକେ ଏହି ଭିଡିଓକୁ ନେଇ ନାନା ମନ୍ତବ୍ୟ ଦେଉଛନ୍ତି।

ପ୍ରକାଶ ଯେ, ୧୫ ବର୍ଷ ପରେ ୨୦୧୮ ମସିହାରେ ମଧ୍ୟ ପ୍ରଦେଶରେ କଂଗ୍ରେସ ଶାସନକୁ ଆସିଛି ଓ କଂଗ୍ରେସ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଛି। ପାଖାପାଖି ୧୫ ମାସର କମଲନାଥ ସରକାର ସମୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଦ୍ରୋହ ମନୋଭାବ ଦେଖାଇ କଂଗ୍ରେସ ଛାଡି ନିଜର ୨୬ ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ।

ବିଧାୟକମାନେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ଯାହାଫଳରେ ଗତ ମାର୍ଚ୍ଚ ମାସରେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା ଓ ପୁଣି ବିଜେପି ସରକାର ଶାସନକୁ ଆସିଥିଲା। ବିଧାୟକଙ୍କ ଇସ୍ତଫା ପରେ ଖାଲି ପଡିଥିବା ଆସନ ପାଇଁ ବର୍ତ୍ତମାନ ଉପନିର୍ବାଚନ ହେଉଛି। ଏଥିପାଇଁ ନଭେମ୍ବର ୩ ତାରିଖରେ ମତଦାନ ଓ ୧୦ ତାରିଖରେ ଫଳାଫଳ ଘୋଷଣା ହେବ।

Comments are closed.