ଆମେରିକା ନିର୍ବାଚନ: ପୁନଃ ଗଣତି ଦାବି କଲେ ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ଫଳାଫଳ ଆସିବା ଆଗରୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। କିଛି ରାଜ୍ୟରେ ଭୋଟିଂରେ ଅନିୟମିତତା ହୋଇଥିବା ନେଇ ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି। ୱିସକିନସନ୍ରେ ପୁଣି ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ, କିନ୍ତୁ ଅଚାନକ ଜୋ ବାଇଡେନ ଆଗକୁ ଆସିଯାଇଛନ୍ତି।
ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ, ସମସ୍ତେ ଏକାଠି ହୋଇ ତାଙ୍କୁ ହରାଇବାକୁ ଉଦ୍ୟମ କରିଛନ୍ତିା ଏହାରି ଭିତରେ ଟ୍ରମ୍ପଙ୍କ ଦଳ ମଧ୍ୟ ଭୋଟିଂ ଅବଧି ସରିବା ପରେ ବେଆଇନ ଭାବେ ମତଦାନ ଜାରି ରହିଥିବା ନେଇ ଗତକାଲି ଅଭିଯୋଗ ଆଣିଥିଲା। ଟ୍ରମ୍ଫ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥବାରୁ ଚୂଡାନ୍ତ ନିଷ୍ପତି ନେବେ କୋର୍ଟ, ତା’ପରେ ଆସିବ ଫଳାଫଳ।
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟୀ ଆଶା ମଉଳିବାରେ ଲାଗିଛି। କାରଣ ତାଙ୍କୁ ବର୍ତ୍ତମାନ ସୁଦ୍ଧା ୨୧୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବା ବେଳେ ଜୋ ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଛି। ,ଏବଂ ନିର୍ବାଚନ ଜିତିବାକୁ ୨୭୦ ଇଲେକ୍ଟୋରାଲ୍ ଭୋଟ୍ ଆବଶ୍ୟକ। ଏବେ ଟ୍ରମ୍ପ ପେନସିଲଭାନିଆ, ଜର୍ଜିଆ, ନର୍ଥ କାରୋଲିନା, ଆଲାସ୍କାରେ ଜୋ ବାଇଡେନ୍ ଙ୍କଠାରୁ ଆଗରେ ଚାଲିଛନ୍ତି। ଏହି ୪ ରାଜ୍ୟରେ ରହିଛି ୫୪ ଇଲେକ୍ଟୋରାଲ୍ ଭୋଟ୍। ଯଦି ଏହା ମିଳିଯାଏ ତେବେ ଟ୍ରମ୍ପଙ୍କୁ ୨୬୮ ଇଲେକ୍ଟୋରାଲ୍ ଭୋଟ୍ ମିଳିଯିବ। ଏପରି ସ୍ଥିତିରେ ଯଦି କୌଣସି ରାଜ୍ୟରେ ଫଳାଫଳ ଓଲଟିଯାଏ ତେବେ ସେ ଜିତି ପାରନ୍ତି ବୋଲି କୁହାଯାଉଛି।