Odisha Link
Bridging the Missing Links in Odisha

ରାଜଧାନୀରେ ‌କମିବ କୋଭିଡ୍‌ ହସ୍ପିଟାଲ୍ ଶଯ୍ୟା

ଭୁବନେଶ୍ବର: ସାରା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ରାଜଧାନୀରେ ବି ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ରାଜଧାନୀରେ ପ୍ରାୟ ସମସ୍ତ କୋଭିଡ୍‌ ହସ୍ପିଟାଲରେ ଅଧାରୁ ଅଧିକ ଶଯ୍ୟା ଖାଲି ରହିଛି। ତେଣୁ କୋଭିଡ୍‌ ହସ୍ପିଟାଲର ଶଯ୍ୟା କମାଇବାକୁ ବିଏମ୍‌ସି ଯୋଜନା କରିଛି। ଏନେଇ ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ଦିନେ ଦୁଇ ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ସଂକ୍ରମଣ ହାର କମିଲାଣି। ଅନ୍ୟ ଜିଲ୍ଲାରୁ ଯେଉଁଭଳି ଆକ୍ରାନ୍ତ ଭୁବନେଶ୍ବର ଆସୁଥିଲେ ଏବେ ସେହିଭଳି ଆସୁନାହାନ୍ତି। ରାଜଧାନୀରେ ପ୍ରାୟ ୮୦% ଆକ୍ରାନ୍ତ ଗୃହ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି। ଅଧିକାଂଶ ଗୁରୁତର ଅବସ୍ଥାରେ ହିଁ ହସ୍ପିଟାଲ ଯାଉଛନ୍ତି। ବାହାର ରାଜ୍ୟରୁ କେବଳ ଗୁରୁତର ଆକ୍ରାନ୍ତ ଆସୁଛନ୍ତି। ତେଣୁ କୌଣସି କୋଭିଡ୍‌ ହସ୍ପିଟାଲରେ ଆଇସିୟୁ ଶଯ୍ୟା ନକମାଇ ସାଧାରଣ ୱାର୍ଡ କମାଇବାକୁ ନିଷ୍ପତ୍ତି ହୋଇଛି। ସମ୍‌, କିମ୍‌ସ କୋଭିଡ୍‌ ହସ୍ପିଟାଲ ପାଇଁ ଏମ୍‌ସିଏଲ୍‌ ଓ ଓଏମ୍‌ସି ଅର୍ଥ ଦେଉଥିବାରୁ ସେମାନଙ୍କ ସହ ବି ଆଲୋଚନା କରାଯିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ପଟିଆସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ୬୦ଟି ଶଯ୍ୟା ଅଛି। ବାକି ସମସ୍ତ କୋଭିଡ୍‌ କେୟାର ସେଣ୍ଟର ବନ୍ଦ କରିଦିଆଯାଇଛି। ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟରରେ ଥିବା ୫୦୦ ଶଯ୍ୟା, ଡୁମଡୁମା ସିସିସିରେ ଥିବା ୬୦ଟି ଶଯ୍ୟା, ଜାମୁଝରୀ ସିସିସିରେ ଥିବା ୪୮୦ଟି ଶଯ୍ୟା, ଜଟଣୀ ସିସିସିରେ ଥିବା ୩୦୦ଟି ଶଯ୍ୟା, ପୋଖରୀପୁଟରେ ଥିବା ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ହୋଇଯାଇଛି।

ଏବେ କେବଳ ୭ଟି କୋଭିଡ୍‌ ହସ୍ପିଟାଲ ଏବଂ ଗୋଟିଏ କୋଭିଡ୍‌ କେୟାର ସେଣ୍ଟରରେ କରୋନା ଆକ୍ରାନ୍ତ ଚିକିତ୍ସା ହେବାର ସୁବିଧା ଅଛି। ଏହାବ୍ୟତୀତ ୩୦ରୁ ଅଧିକ ଶଯ୍ୟା ଥିବା ସମସ୍ତ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ୫୦% ଶଯ୍ୟା ଅଛି।

Comments are closed.