ଅନଲାଇନ୍ ଜୁଆ ଖେଳ ଅଭିଯୋଗ: ମାଡ୍ରାସ ହାଇକୋର୍ଟର ନୋଟିସ୍

ନୂଆଦିଲ୍ଲୀ: ଅହିତକର ଉତ୍ପାଦ ଓ ସେବାକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଆସିଛି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରୋଧରେ। ଏଥିସହ ପୂର୍ବତନ କ୍ରିକେଟ ଖେଳାଳୀ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଅଭିନେତ୍ରୀ ତମନ୍ନା ଭାଟିଆ, ଅଭିନେତା ପ୍ରକାଶ ରାଜଙ୍କ ନାଁ ରେ ଅନଲାଇନ ଜୁଆ ଖେଳ ଅଭିଯୋଗ ଆସିଛି। ଏନେଇ ମାଡ଼୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର ଏହି ୪ ଜଣଙ୍କୁ ନୋଟିସ ଜାରି କରିଛନ୍ତି।
ଆଇପିଏଲରେ ଡ଼୍ରିମ ଇଲେଭେନ ବାଛିବା ସଂକ୍ରାନ୍ତ ମାମଲାକୁ ନେଇ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି। କ୍ରିକେଟ ଖେଳ ଏକ ଜୁଆ କି ନୁହେଁ ପ୍ରଶ୍ନ କରିଛନ୍ତି ଅଦାଲତ। ଏଥିରୁ ଅର୍ଜିତ ଅର୍ଥ କୁଆଡ଼େ ଯାଉଛି ସେ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଉତ୍ତର ଦେବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି। ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି ଅଦାଲତ ତାରିଖ ଧାର୍ଯ୍ୟ କରିଛନ୍ତି। ଗତକାଲି ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ଅନଲାଇନ୍ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ମାମଲାର ଶୁଣାଣି ପରେ ଅଦାଲତ ଏହି ନିର୍ଦେଶ ଦେଇଛନ୍ତି। ମଦୁରାଇର ମହମ୍ମଦ ରସଭି ନାମକ ଜଣେ ବ୍ୟକ୍ତିଙ୍କ ପକ୍ଷରୁ ତାଙ୍କ ଓକିଲ ନୀଲାମେଗାମ ଏହି ପିଟିସନ ଦାଖଲ କରିଛନ୍ତି।
ସାମ୍ପ୍ରତିକ ସମୟରେ ଅନଲାଇନ୍ ଜୁଆ ଯୋଗୁଁ ତାମିଲନାଡୁରେ ଦଶରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଗତ ମାସରେ ଜଣେ ବ୍ୟକ୍ତି ଅନଲାଇନ ଜୁଆ ଖେଳରେ ୩୦ ଲକ୍ଷ ଟଙ୍କା ହରାଇବା ପରେ ପୁଡ଼ୁଚେରୀରେ ଆତ୍ମହତ୍ୟା କରିଥିଲେ। ମୃତ୍ୟୁପୂବରୁ ଏକ ଅଡ଼ିଓ ବାର୍ତା ତାଙ୍କ ପତ୍ନୀଙ୍କ ନିକଟକୁ ପଠାଇଥିଲେ ଓ ଅନଲାଇନ ଜୁଆ ଖେଳ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ ବୋଲି କହିଥିଲେ।