ଭୁବନେଶ୍ବରରେ ରାଣୀ ପଣ୍ଡାଙ୍କ ଯାତ୍ରା ଟ୍ରେଲର

ଭୁବନେଶ୍ବର: “ସିଏମ୍ ମୋର ସିଏ, ପାଣ୍ଡିଆନଙ୍କୁ ମୁଁ ଦିଅର ଭାବେ ଆଉ ମୋଦି ହେଉଛନ୍ତି ମୋର ଦେଢ଼ଶୁର।” ଭୁବନେଶ୍ବରରେ ଆଜି ଗଣମାଧ୍ୟମକୁ ଏଭଳି କହିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଲୋୟର ପିଏମ୍ଜି ଛକରେ କଳାକାରଙ୍କ ବିକ୍ଷୋଭର ନେତୃତ୍ବ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଣୀ। ଏହା ଟ୍ରେଲର୍, ଯଦି ଦାବି ପୂରଣ ନ ହୁଏ ତେବେ ଆଗକୁ କ’ଣ ହେବ ସରକାର ଦେଖିବେ ବୋଲି ରାଣୀ ଚେତାବନୀ ଦେଇଛନ୍ତି।
କରୋନା କଟକଣା ଯୋଗୁଁ ପ୍ରାୟ ୮ ମାସ ଧରି ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ରହିଛି। ଯାହାଫଳରେ ଅନେକ କଳାକାର ନିଜର ଜୀବିକା ହରାଇବା ସହିତ ପରିବାର ଚଳାଇବା ପାଇଁ ଲହୁ ଲୁହାଣ ହୋଇ ପଡ଼ିଛନ୍ତି। ନିଜର ଜୀବନ ଜୀବିକାକୁ ବଞ୍ଚାଇ ରଖିବା ପାଇଁ ରାଜ ରାସ୍ତାରେ ଗର୍ଜିଲେ ଯାତ୍ରା କଳାକାର।
ଗୁରୁବାର ପୂର୍ବାହ୍ନରେ ଯାତ୍ରା କଳାକାର ମାନେ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ଯାତ୍ରା କୁଇନ୍ ରାଣୀ ପଣ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ରାଣୀ କହିଛନ୍ତି ଯେ, କରୋନା କାଳରେ ଦୀର୍ଘ ୭ ମାସରୁ ଅଧିକ ସମୟ ଧରି ବନ୍ଦ ରହିଛି ଯାତ୍ରା ପରିବେଷଣ। ଏହି ସମୟରେ ଅନେକ ଯାତ୍ରା କଳାକାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ରୋଜଗାର ଅଭାବରୁ ଯାତ୍ରା ଜଗତ ବୁଡିବାକୁ ବସିଲାଣି। ତେଣୁ ଆଗକୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦେବାକୁ କହିଛନ୍ତି ରାଣୀ ପଣ୍ଡା।
ରାଣୀ ଆହୁରି କହିଛନ୍ତି ଯେ, ଆଜି ଆମର ଏହି ଦାବି ନିଶ୍ଚୟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବ। ଆଉ ଯଦି ନପହଞ୍ଚେ, ଏଇଟା ତ ଟ୍ରେଲର୍, ଫିଲ୍ମ ଆଗକୁ କ’ଣ ହେବ ସେ ଭାବିଦିଅନ୍ତୁ। ଆମେ ବହୁତ ସହିଲୁଣି। ରାଜ୍ୟ ସରକାର ଯାହା କହିଥିଲେ, ତାହା ମାନିଲୁ। ସବୁ କଲା ପରେ ବି ଆଜି ଆମ ସହ ଅନ୍ୟାୟ ହେଉଛି। ଆଉ ନିର୍ବାଚନ ସରିଲା ପରେ କହିବେ ଯେ ସବୁ ବନ୍ଦ। ଆଗରୁ କହିଥିଲି ଏବଂ ଆଜି ବି କହୁଛି ମୋତେ ତିନିମାସ ପାଇଁ ସିଏମ୍ କରାନ୍ତୁ, ତା’ପରେ ଦେଖନ୍ତୁ ମୁଁ କ’ଣ କରୁଛି। ରାଣୀ ଆହୁରି କହିଛନ୍ତି, ଆମେ କେବଳ ଏତିକି ଚାହୁଁଛୁ ଯେ ଆମର କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଅନ୍ତୁ। ଯାତ୍ରା କରିବା ପାଇଁ ଆପଣ ଯେଉଁ ଗାଇଡଲାଇନ୍ ରଖିବେ, ଆମେ ମାନିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ରାଣୀ ପଣ୍ଡା।