Odisha Link
Bridging the Missing Links in Odisha

ବର୍ଷା-ଅନୁଭବ ବିବାଦ: ଶାଶୁ-ବୋହୂ ଥାନାର ଦ୍ବାରସ୍ଥ

କଟକ: ବର୍ଷା ଓ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲା ତୁଟି ନଥିବାବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ବର୍ଷାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବଙ୍କ ମାଆ। ଆଜି କଟକ ପୁରୀଘାଟ ଥାନାର ଦ୍ବାରସ୍ଥ ହେଲେ ସାଂସଦ ଅନୁଭବଙ୍କ ମାଆ ମଧୁସ୍ମିତା ମହାନ୍ତି। ଅଭିଯୋଗ ମୁତିବାକ, ଘର ମରାମତି ପାଇଁ ବର୍ଷାଙ୍କୁ ୧୦ ଦିନ ପାଇଁ ବାପଘରକୁ ଯିବାକୁ ବର୍ଷାଙ୍କୁ ଘର ଛାଡ଼ିବାକୁ କହିଥିଲେ। ହେଲେ ବର୍ଷା ଘର ଛାଡ଼ି ଯିବାକୁ ନାରାଜ।

ଅଭିଯୋଗରେ ଅନୁଭବଙ୍କ ମା’ ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର। କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ। ମିସ୍ତ୍ରୀ ମରାମତି ୧୦ ଦିନ ଲାଗିବ ବୋଲି କହିଥିଲେ। ତେଣୁ ଏହି ୧୦ ଦିନ ଲାଗି ଘର ଛାଡି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ।

କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡୁନଥିବା ଅନୁଭବଙ୍କ ମା’ ଅଭିଯୋଗ କରିଛନ୍ତି। ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟା ଭୋଗୁଛନ୍ତି। ତେଣୁ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା’ ଅନୁରୋଧ କରିଛନ୍ତି।

ସେପଟେ ବର୍ଷାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ବର୍ଷା କହିଛନ୍ତି, ‘ମୋତେ ଜାଣିଶୁଣି ହଇରାଣ କରିବାକୁ ଚେଷ୍ଟା କରାଯାଉଛି। ମରାମତି ବାହାନାରେ ଘରୁ ବାହାର କରିବାକୁ ଯୋଜନାବଦ୍ଧ ଚକ୍ରାନ୍ତ ଚାଲିଛି। ମୋର ଶାଶୁଘର ବ୍ୟତିତ ଅନ୍ୟ କେଉଁଠି ରହିବାର ସୁବିଧା ନାହିଁ। ଏଭଳି ପରିସ୍ଥିତିରେ ମୋର ସୁରକ୍ଷା ଉପରେ ପୋଲିସ ଦୃଷ୍ଟି ଦେଉ।’

ସୂଚନାଯୋଗ୍ୟ ଯେ, ବର୍ଷା ଏବଂ ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କିମିଟି ମଧ୍ୟସ୍ଥତା କରିବେ। ସେପଟେ ସୁପ୍ରିମକୋର୍ଟରେ ବର୍ଷା ଟ୍ରାନ୍ସଫର ପିଟିସନ ମାମଲା ଦାୟର କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାର ଡିସେମ୍ବର ୮ ତାରିଖରେ ଶୁଣାଣି କରିବେ।

Comments are closed.