Odisha Link
Bridging the Missing Links in Odisha

ରାଜ୍ୟରେ ଏବେ ଖୋଲିବନି ସ୍କୁଲ୍: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଏବେ ଖୋଲିବନି ସ୍କୁଲ। ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ସ୍ଥଗିତ ରଖାଯାଇଛି। ଡିସେମ୍ବରରେ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। କରୋନା ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ଗାଇଡ୍ ଲାଇନ୍‌କୁ ଅପେକ୍ଷା କରାଯାଇଛି। ପିଲାଙ୍କ ସ୍ବାର୍ଥକୁ ଦେଖି ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଯିବ। ପରବର୍ତ୍ତୀ ଗାଇଡ୍ ଲାଇନ୍ ଆସିବା ପରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ନଭେମ୍ବର ୧୬ରୁ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ଖୋଲିବାକୁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିପାଇଁ ବିଭାଗ ପ୍ରସ୍ତୁତ ଥିବା କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେପେଟେ ନଭେମ୍ବର ୧୫ ପରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନିଜ ତତ୍ତ୍ବାବଧାନ ବା ନିରୀକ୍ଷଣରେ ସ୍କୁଲ ଖୋଲିବାକୁ ବିଭାଗ ତାରିଖ ଧାର୍ଯ୍ୟ କରିପାରିବ ବୋଲି ସାନି ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରିଥିଲେ ଏସଆରସି।

ଆନ୍ଧ୍ରରେ ସ୍କୁଲ ଖୋଲିବା ପରେ ଯେଭଳି ସଂକ୍ରମଣ ବଢୁଛି ସେଭଳି ସ୍ଥିତି ଆଶଙ୍କା କରି ନିଷ୍ପତ୍ତି ବଦଳାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି। ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି। ସ୍କୁଲ ଖୋଲିବା ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଥିଲା। ସ୍କୁଲଗୁଡ଼ିକ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ସ୍କୁଲ ପରିସର ସହ କ୍ଲାସରୁମ୍‌ ସଫା ଓ ସାନିଟାଇଜେସନ୍‌ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା।

Comments are closed.