ପୋକସୋ ଆକ୍ଟ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ: ବିଜେପି
ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଛି। ବିଶେଷ କରି ଗତ କିଛି ମାସ ଧରି ରାଜଧାନୀରେ ନାବାଳିକା ଝିଅଠୁ ଆରମ୍ଭ କରି କର୍ମଜୀବୀ ମହିଳାଙ୍କ ସହ ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ପୂର୍ବରୁ ଅସମାଜିକ ବ୍ୟକ୍ତିମାନେ ମହିଳା ଏବଂ ନାବଳିକାଙ୍କ ସହ ଅସଦାଚାରଣ କରୁଥିବାବେଳେ ଏବେ ଖୋଦ୍ ସରକାରୀ ବାବୁ ମହିଳାଙ୍କ ଇଜ୍ଜତକୁ ଲୁଟ୍ କରୁଛନ୍ତି।
ବିଏମସି ଉତରମଣ୍ଡଳ ଉପାୟୁକ୍ତ ପ୍ରମୋଦ ପୃଷ୍ଟିଙ୍କ ନିଜ ବାସଭବନରେ ଜଣେ ଆଦିବାସୀ ନାବାଳିକାଙ୍କୁ ଚାକରାଣୀ ଭାବେ ରଖି ସଂପୃକ୍ତ ନାବାଳିକାଙ୍କ ସହ ଦୁଷ୍କର୍ମ କରି ଗର୍ଭବତୀ କରାଇଛନ୍ତି। ସରକାରୀ ଅଧିକାରୀ ହୋଇ ଜଣେ ନିରିହ ଆଦିବାସୀ ନାବାଳିକା ସହ ପାଶବିକ ଅତ୍ୟାଚାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଅମାନବୀୟ କାଣ୍ଡ ଭିଆଇଥିବା ସରକାରୀ ବାବୁଙ୍କୁ ତୁରନ୍ତ ଗିରଫ କରିବା ସହ ଚାକିରୀରୁ ବହିଷୃତ କରିବା ଦାବି ନେଇ ବିଜେପି ଚନ୍ଦ୍ରଶେଖରପୁର ମଣ୍ଡଳର କାର୍ଯ୍ୟକର୍ତାମାନେ ବିଏମସି ଜୋନାଲ ଅଫିସ ଆଗରେ ପ୍ରତିବାଦ କରିଥିଲେ।
ବିଏମସି ଉତରମଣ୍ଡଳ ଉପାୟୁକ୍ତ ପ୍ରମୋଦ ପୃଷ୍ଟି ବେଆଇନ ଭାବେ ଆଦିବାସୀ ନାବାଳିକାଙ୍କୁ ନିଜ ଘରେ ଅସଦାଚାରଣ କରି ଦୁଷ୍କର୍ମ କରିଛନ୍ତି। ନିଜ ବାସଭବନରେ ନାବାଳିକାଙ୍କୁ ଚାକରାଣୀ ଭାବେ ଖଟାଇବା ଏକ ବେଆଇନ କାର୍ଯ୍ୟ ଏବଂ ଏହାଦ୍ୱାରା ସଂପୃକ୍ତ ନାବାଳିକାଙ୍କ ଶିଶୁ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି। ଏବେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଶ୍ରୀ ପୃଷ୍ଟି ହଠାତ୍ ଫେରାର ହୋଇଯିବା ସମସ୍ତଙ୍କୁ ଚକିତ କରିଛି। ପୋଲିସର ଉଦାସୀନତା ଯୋଗୁଁ ଏଭଳି ଏକ ଜଘନ୍ୟ ଅପରାଧୀ ଆଜି ବାହରେ ବୁଲୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଅଭିଯୋଗ କରିଛନ୍ତି।
ଏଭଳି ଘଟଣାରେ ରାଜ୍ୟସରକାର ତୁରନ୍ତ ହସ୍ତକ୍ଷେପ କରି ପୀଡିତା ପରିବାରକୁ ନ୍ୟାୟ ଦେବା ସହ ଅଭିଯୁକ୍ତ ପ୍ରମୋଦ ପୃଷ୍ଟିଙ୍କୁ ପୋକସୋ ଆକ୍ଟରେ ଗିକଫ କରିବା ଏବଂ ସରକାରୀ ଚାକିରୀରୁ ବହିଷ୍କାର କରିବା ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଯଦି ସରକାର ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଆଦିବାସୀ ମାରଣ ନୀତି ବିରୁଦ୍ଧରେ ବିଜେପି ପ୍ରତିବାଦ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି।
ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଚନ୍ଦ୍ରଶେଖରପୁର ମଣ୍ଡଳ ସଭାପତି ଦାମୋଦର ବେହେରା, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଂଜନ ନାଥ, ଉତର ଗ୍ରାମୀଣ ମଣ୍ଡଳ ସଭାପତି ଯତିନ୍ଦ୍ର ମହାନ୍ତି ଏବଂ ଭୁବନେଶ୍ୱର ଜିଲ୍ଲା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସମେତ ସ୍ଥାନୀୟ କାର୍ଯ୍ୟକର୍ତା ପ୍ରମୁଖ ସାମିଲ ଥିଲେ।
Comments are closed.