ସିଡିଏସ୍-୨ ପରୀକ୍ଷାରେ ଓଡ଼ିଆ ଝିଅ ଅଦିିତି ଟପ୍ପର

ଭୁବନେଶ୍ୱର: ସିଡିଏସ (କମ୍ବାଇନଡ ଡିଫେନ୍ସ ସର୍ଭିସ୍)-୨ ପରୀକ୍ଷାରେ ଢେଙ୍କାନାଳର ଝିଅ ଅଦିତି ପରିଡ଼ା ମହିଳା ବିଭାଗରେ ଟପ୍ପର ହୋଇପାରିଛନ୍ତି। ନିକଟରେ ପ୍ରକାଶ ପାଇଥିବା ସିଡିଏସ୍ ପରୀକ୍ଷା ଫଳରେ ୨୪୧ ଜଣଙ୍କୁ ଚେନ୍ନାଇସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ (ଓଟିଏ)ରେ ସର୍ଟ ସର୍ଭିସ କମିଶନ (ଏସଏସସି) କୋର୍ସ ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୧୭୪ ଜଣ ପୁରୁଷ ଥିବା ବେଳେ ୬୭ ଜଣ ମହିଳା ରହିଛନ୍ତି। ମହିଳାମାନଙ୍କ ମଧ୍ୟରେ ଅଦିତି ଟପ୍ପର ହୋଇଛନ୍ତି। ଏହି ସଫଳତା ପାଇବାରେ ଓଡ଼ିଶାରେ ମଧ୍ୟ ସେ ପ୍ରଥମ।
ଅଦିତି ପୁନେସ୍ଥିତ ସିମ୍ବୋସିସ୍ କଲେଜରୁ ମାସ୍ କମୁ୍ୟନିକେସନରେ ୨୦୧୭-୨୦୨୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଟପ୍ପର ହୋଇଥିଲେ। ଓଡ଼ିଶୀ ଓ ଭାରତନାଟ୍ୟମ ନୃତ୍ୟରେ ସେ ନିପୁଣ ଏବଂ ଭଲ ଭଲିଭଲ ଖେଳାଳି ମଧ୍ୟ। ଜଣେ ଆର୍ମି ବି୍ରଗେଡିୟରଙ୍କ ଝିଅ ଅଦିତି ୨୦୧୬ରେ ଆର୍ମି କଲେଜ ଡିବେଟ ଚାମ୍ପିଅନ ମଧ୍ୟ ହୋଇଥିଲେ। ବାପା ବ୍ରିଗେଡିୟର ଥିବାରୁ ସେ ପିଲାବେଳୁ ଭାରତମାତାର ସେବା କରିବାକୁ ସେନାରେ ସାମିଲ ହେବାକୁ ସ୍ୱପ୍ନ ଦେଖୁଥିଲେ ବୋଲି ଅଦିତି କହିଛନ୍ତି।