Odisha Link
Bridging the Missing Links in Odisha

ଦିପାବଳୀ ପୂର୍ବରୁ ପୁଣି ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ଉପରେ ଥିବା ଆର୍ଥିକ ଚାପ ହ୍ରାସ କରିବାକୁ କେନ୍ଦ୍ର ସରକାର ସମ୍ଭାବ୍ୟ ପଦକ୍ଷେପ ନେଉଛନ୍ତି। ଏଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। ଏହି କ୍ରମରେ ପୁଣିଥରେ ଆର୍ଥିକ ପ୍ୟାକେଜ ଘୋଷଣା କରିବେ କେନ୍ଦ୍ର ସରକାର। ଦିପାବଳୀ ପୂର୍ବରୁ ଅର୍ଥାତ ଆସନ୍ତାକାଲି କିମ୍ବା ଶୁକ୍ରବାର ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ ବୋଲି ଜଣାପଡ଼ିଛି। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବା ପାଇଁ ଏହି ପ୍ୟାକେଜ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସୂଚନାନୁସାରେ, ପରବର୍ତ୍ତୀ ରିଲିଫ ପ୍ୟାକେଜରେ ଦୁଇଟି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାରଙ୍କ ଧ୍ୟାନ ରହିବ। ପ୍ରଥମ ପ୍ରସଙ୍ଗ ହେଉଛି ରୋଜଗାର। କରୋନା ସଙ୍କଟ ମଧ୍ୟରେ ବହୁ ସଂଖ୍ୟକ ଲୋକ ଚାକିରି ହରାଇଛନ୍ତି। ଏଭଳି ପରିସ୍ଥିତିରେ ଏହି ରିଲିଫ ପ୍ୟାକେଜରେ ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏଥିପାଇଁ ସରକାର ଇପିଏଫ୍ (ପ୍ରୋଭିଡେଣ୍ଟ ଫଣ୍ଡ) ମାଧ୍ୟମରେ ୧୦ ପ୍ରତିଶତ ରିହାତି ଦେବାର ବ୍ୟବସ୍ଥା କରିବେ ବୋଲି ସୂଚନା ମିଳିଛି।

ଅର୍ଥାତ୍‌ ସରକାର ନୂତନ କର୍ମଚାରୀଙ୍କ ଇପିଏଫର ୧୦% କେନ୍ଦ୍ର ସରକାର ଭରଣା କରିବେ। କେବଳ ଏତିକି ନୁହେଁ, କମ୍ପାନୀମାନଙ୍କୁ ନୂତନ ଚାକିରି ଯୋଗାଇବା ପାଇଁ ଉତ୍ସାହିତ କରିବା ପାଇଁ ସରକାର ଇପିଏଫ ରେ ନିଯୁକ୍ତିଦାତାର ୧୦% ଅଂଶ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀ ନିଯୁକ୍ତି ପ୍ରୋତ୍ସାହନ ଯୋଜନା ଅଧୀନରେ କେନ୍ଦ୍ର ସରକାର ଇପିଏଫର ମୋଟ ଅଂଶର ୨୦ପ୍ରତିଶତ ଦେୟ ପ୍ରଦାନ କରିପାରିବେ।

ଦ୍ୱିତୀୟ ପଦକ୍ଷେପ ଭାବରେ, କେଭି କାମାଥ କମିଟିର ସମସ୍ତ ଚିହ୍ନିତ ଚାପ ଏବଂ ସମସ୍ୟା କ୍ଷେତ୍ର ପାଇଁ ସରକାର ଜରୁରୀକାଳୀନ କ୍ରେଡିଟ୍ (ECLGS) ପ୍ରଦାନ କରିପାରିବେ। ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ର ପାଇଁ ବିଭିନ୍ନ ରିଲିଫ୍ ବ୍ୟବସ୍ଥା ମଧ୍ୟ କରାଯାଇପାରିବ। ସୂଚନା ଅନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ପିଏଲଆଇ ଅଧୀନରେ ୧.୪୬ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯିବ। ଅଟୋମୋବାଇଲ, ରସାୟନ ବିଜ୍ଞାନ ସହ ଜଡ଼ିତ ଶିଳ୍ପ, ବ୍ୟାଟେରୀ, ଔଷଧ ଶିଳ୍ପ, ଖାଦ୍ୟ ଶିଳ୍ପ ଏହାଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

Comments are closed.