ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ୨,୦୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ: ମାସ୍କ ନ ପିନ୍ଧିଲେ ୫୦୦ ପରିବର୍ତ୍ତେ ୨,୦୦୦ଟଙ୍କାର ଦବାକୁ ପଡ଼ିବ ଜରିମାନା। କରୋନା ସ୍ଥିତିକୁ ଦେଖି ଆଜି ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
ସେ କହିଛନ୍ତି, ମୁଁ ସମସ୍ତ ଧାର୍ମିକ, ସାମାଜିକ, ରାଜନୈତିକ ଦଳ ଏବଂ ସଂଗଠନକୁ ନିବେଦନ କରୁଛି ଯେ ସର୍ବସାଧାରଣ ସ୍ଥାନଗୁଡିକରେ ଲୋକଙ୍କୁ ମାସ୍କ ବଣ୍ଟନ କରନ୍ତୁ। ଯଦି ଆପଣ ମାସ୍କ ପିନ୍ଧନ୍ତି, ତେବେ କରୋନା ଆକ୍ରାନ୍ତ ହେବାର ସମ୍ଭାବନା କମ୍ ହୋଇପାରେ। ଦିଲ୍ଲୀରେ କରୋନାଭାଇରସ୍ ମାମଲାକୁ ହ୍ରାସ କରିବା ଅତ୍ୟନ୍ତ ଜରୁରୀ। ଦୟାକରି ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି କେଜ୍ରିୱାଲ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପୋଖରୀ, ହ୍ରଦ ଏବଂ ନଦୀ ଭଳି ସର୍ବସାଧାରଣ ସ୍ଥାନରେ ଛଟ ପୂଜା ଉତ୍ସବ ଦିଲ୍ଲୀରେ ନିଷେଧ ରହିବ। ଚଳିତ ବର୍ଷ ଘରେ ଏହି ପର୍ବ ପାଳନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୭୪୮୬ଜଣ କରୋନା ଆକ୍ରାନ୍ତ ହେବା ସହ ସର୍ବାଧିକ ୧୩୧ଜଣଙ୍କ ମୃତ୍ୟୁ ହୋଇଛି। ନୂତନ ସଂଖ୍ୟାକୁ ମିଶାଇ ଦିଲ୍ଲୀର ମୋଟ ମାମଲା ବର୍ତ୍ତମାନ ୫,୦୩,୦୮୪ରେ ପହଞ୍ଚିଛି। ଏ ମଧ୍ୟରୁ ୪୨,୪୫୮ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ୭୯୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇସାରିଛି।