Odisha Link
Bridging the Missing Links in Odisha

ମାଗଣା ମାଉଁସ ପାଇଁ ଭୁଲିଗଲେ ମଣିଷପଣିଆ, ବ୍ୟାଗରେ କୁକୁଡ଼ା ଭର୍ତ୍ତି କରି ଲୁଟିଲେ

ସୁନ୍ଦରଗଡ଼: ରାସ୍ତାକଡ଼ରେ ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଗାଡ଼ି। ଏହା ଦେଖି ଗାଡ଼ି ଚାରିପଟେ ଜମିଥିଲା ଲୋକଙ୍କ ଭିଡ଼। ଏହା ଦେଖି ସତେ ଯେମିତି ଲାଗୁଥିଲା ଲୋକ ମାନେ ମିଳିମିଶି ଗାଡ଼ିରେ ଫସିଥିବା ଡ୍ରାଇଭରକୁ କିମ୍ବା ଅନ୍ୟମାନଙ୍କୁ ଉଦ୍ଧାର କରିବାରେ ଲାଗି ପଡ଼ିଛନ୍ତି। ହେଲେ ପ୍ରକୃତରେ ମଣିଷକୁ ନୁହେଁ କୁକୁଡ଼ାକୁ ଉଦ୍ଧାର କରିବାରେ ଲାଗିଥିଲେ ଉପସ୍ଥିତ ଥିବା ଲୋକେ।

ଭଷ୍ମା ଥାନା ଅନ୍ତର୍ଗତ ବଡ଼ବାହାଲ ନିକଟରେ ରାଜ୍ୟ ରାଜପଥ ଉପରେ ଝାରସୁଗୁଡ଼ା ପଟୁ ସୁନ୍ଦରଗଡ଼କୁ ଆସୁଥିବା କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଓଲଟି ପଡ଼ିଥିଲା। ଗାଡ଼ି ଓଲଟିବା ପରେ ଲୋକେ ସେଠାକୁ ଦୌଡ଼ି ଯାଇ ଗାଡ଼ିରୁ କୁକୁଡ଼ା ବ୍ୟାଗରେ ଭର୍ତ୍ତି ନେଉଥିବା ପରିଲକ୍ଷିତ ହୋଇଥିଲା।

ସୂଚନା ମୁତାବିକ, ଗତକାଲି ଝାରସୁଗୁଡ଼ା ପଟୁ ଏକ ପିକ୍‌ଅପ୍‌ରେ କୁକୁଡା ନେଇ ସୁନ୍ଦରଗଡ଼କୁ ଆସୁଥିଲା। କୁଣ୍ଡୁକେଲାପାରି ହୋଇ ବଡ଼ବାହାଲ ଗ୍ରାମ ଅତିକ୍ରମ କରୁଥିବା ସମୟରେ ଚାଳକ ଗାଡ଼ି ଉପରୁ ଭାରସାମ୍ୟ ହରାଇ ବସିଥଥିଲେ। ଫେରେ ଗାଡ଼ିଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଓଲଟି ପଡ଼ିବା ଦେଖି ବାଟରେ ଯାଉଥିବା ଲୋକେ ଅଟକି ଚାଳକ ଓ ଅନ୍ୟ ଲୋକଙ୍କ ଅବସ୍ଥା କିପରି ଅଛି ଓ ସେମାନଙ୍କୁ ଚିକିତ୍ସା ଲାଗି ନେବା ପରିବର୍ତ୍ତେ କୁକୁଡ଼ା ନେବାରେ ଲାଗି ପଡ଼ିଥିଲେ।

ସେହିପରି ସ୍ଥାନୀୟ ଗ୍ରାମର ଲୋକେ ଖବର ପାଇ ସେଠାରେ ପହଞ୍ଚି ବ୍ୟାଗ, ଅଖାରେ କୁକୁଡ଼ା ଭର୍ତ୍ତି କରିବାରେ ଲାଗି ପଡ଼ିଥିଲେ। ଭଷ୍ମା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଘଉଡାଇଥିଲା। ପୁଲିସ୍‌ ଆହତ ହୋଇଥିବା ଗାଡ଼ିର ଚାଳକ ଓ ହେଲପରଙ୍କୁ ଉଦ୍ଧାର କରିଚିକିତ୍ସା ଲାଗି ସୁନ୍ଦରଗଡ଼ ସରକାରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା।

Comments are closed.