Odisha Link
Bridging the Missing Links in Odisha

ବିଜୁ ଗାଁ ରେଡିଓ: ଆରମ୍ଭ ନ ହେଉଣୁ ବନ୍ଦ ହେବ!

ଭୁବନେଶ୍ବର: ରାଜ୍ୟ ସରକାର ଘୋଷଣା କରୁଛନ୍ତି ମାଳ ମାଳ ଯୋଜନା। ନେଉଛନ୍ତି ଅନେକ ନିଷ୍ପତ୍ତି। ହେଲେ କିଛିଟା କାର୍ଯ୍ୟକାରୀ ହେଉଥିବା ବେଳେ ଆଉ କିଛି କେବଳ ଘୋଷଣାରେ ହିଁ ରହିଯାଉଛି। ୨୦୧୬ ମସିହାରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଜରୁରୀ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ‘ବିଜୁ ଗାଁ ରେଡିଓ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ସରକାର ଭୁଲିଗଲେ। ଅବହେଳା ଓ ଅଣଦେଖାରୁ ଏବେ ପ୍ରସ୍ତାବିତ ‘ବିଜୁ ଗାଁ ରେଡିଓ’ ବନ୍ଦ ହେବାକୁ ଯାଉଛି।

ମିଳିଥିବା ସୂଚନା ମୁତାବିକ ମାସକ ମଧ୍ୟରେ ଯଦି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଏସଂପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ପ୍ରଦାନ ନକରେ ତେବେ ଏହି କମ୍ୟୁନିଟି ରେଡିଓ କେନ୍ଦ୍ର ପାଇଁ ଯେଉଁ ବ୍ୟବସାୟିକ ବୁଝାମଣାପତ୍ର ହୋଇଥିଲା ତାହା ବାତିଲ ହେବ। ରେଡିଓ ଷ୍ଟେସନ ପାଇଁ ଲାଇସେନ୍ସ ମିଳିବ ନାହିଁ ବୋଲି ଏକ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।

ସୂଚନାଥାଉକି, ଗ୍ରାମାଞ୍ଚଳରେ କୃଷକମାନଙ୍କ ଜରୁରୀ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର ‘ବିଜୁ ଗାଁ ରେଡିଓ’ ଆରମ୍ଭ କରିବାକୁ ୨୦୧୬ ମସିହା ଅଗଷ୍ଟ ମାସରେ ଅଣ୍ଟା ଭିଡିଥିଲେ। ଏହି ଜିଲ୍ଲାରେ ଥିବା କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ କାର୍ଯ୍ୟକ୍ଷମ ହୋଇଥାନ୍ତା। ଓଡ଼ିଶା କୃଷି ବିଶ୍ବବିଦ୍ୟାଳୟ ଏଥିପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥାନ୍ତା। ରାଜ୍ୟ ସରକାର ପ୍ରସ୍ତାବିତ ୩୧ ଗୋଷ୍ଠୀ ରେଡିଓ ଷ୍ଟେସନ୍‌ ପାଇଁ ଲାଇସେନ୍ସ ଆବେଦନ କରିଥିଲେ ମଧ୍ୟ ୧୮ଟି କେନ୍ଦ୍ରକୁ ମିଳିଥିଲା ଲେଟର ଅଫ ଇଣ୍ଟେଣ୍ଟ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ ଗୋଷ୍ଠୀ ରେଡିଓ କାର୍ଯ୍ୟକ୍ରମରେ ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକମାନଙ୍କୁ କୃଷି, ସମବାୟ, ଜଳସେଚନ, ସ୍ବାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ, ପରିଚାଳନା ଓ ସଂସ୍କୃତି ଆଦି ସଂପର୍କରେ ଆବଶ୍ୟକ ସୂଚନା ଓ ତଥ୍ୟ ସମ୍ବଳିତ ପରାମର୍ଶ ପ୍ରଦାନ କରାଯିବାର ଯୋଜନା ଥିଲା। ଏପରିକି ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ’ ଭଳି ପ୍ରତିମାସରେ ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା ‘ଆପଣଙ୍କ ପାଇଁ’ ପ୍ରସାରଣ କରାଯିବାର ନିଷ୍ପତ୍ତି ମଧ୍ୟ ହୋଇଥିଲା। ଏହାର ସମୟସୀମା ୧୦ ମିନିଟ୍‌ ଧାର୍ଯ୍ୟ ହୋଇଥିଲା। କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟ ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ଏହି ରେଡିଓ ମାଧ୍ୟମରେ ନିଜର ବାର୍ତ୍ତା ଦେବେ ବୋଲି ସ୍ଥିର ହୋଇଥିଲା।

ଏହି କାର୍ଯ୍ୟକ୍ରମ ଦୈନିକକ ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ ଏକ ଘଣ୍ଟା ପ୍ରସାରିତ ହେବ। ସନ୍ଧ୍ୟା ୮ଟା ଓ ୯ଟାରେ ଏହାର ପୁନଃ ପ୍ରସାରଣ ପାଇଁ ପ୍ରସ୍ତାବ ରହିଥିଲା। କାର୍ଯ୍ୟକ୍ରମ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଦ୍ବାରା ପରିଚାଳିତ ହେବ। କୃଷି ବିଜ୍ଞାନ କେନ୍ଦ୍ର ଗୁଡ଼ିକ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣମୂଳକ ନୀତି ଓ କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ରାଜ୍ୟରେ ୧୮ଟି କେନ୍ଦ୍ର ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କମ୍ୟୁନିଟି ରେଡିଓ ପ୍ରସାରଣ ପାଇଁ ଅନୁମତି ଦେବା ସହ ଲେଟର ଅଫ୍‌ ଇଣ୍ଟେଣ୍ଟ ଜାରି କରିଥିଲା। ମାତ୍ର ବ୍ୟବସାୟିକ ବୁଝାମଣାପତ୍ର ମିଳିବାର ୨୧ ମାସ ପରେ ମଧ୍ୟ ବେତାର କେନ୍ଦ୍ର ଆରମ୍ଭ ହୋଇନଥିବାରୁ ବୁଝାମଣପତ୍ର କାହିଁକି ବାତିଲ୍‌ ନହେବ ସେ ନେଇ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ଏପରିକି ଏନେଇ ଯୁକ୍ତିଯୁକ୍ତ କାରଣ ସହ ଜବାବ ନଦେଲେ ଏ ବୁଝାମଣାପତ୍ରକୁ ବାତିଲ କରିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.