Odisha Link
Bridging the Missing Links in Odisha

ଏନ୍‌ଏସ୍‌ଏସ୍ ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ : ଡଃ ଭଗବାନ

ଭୁବନେଶ୍ୱର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀକୁ ସ୍ମରଣୀୟ କରିବା ନିମନ୍ତେ ୧୯୬୯ ମସିହାରେ ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ଗଠିତ ହୋଇଥିଲା । ଏନ୍‌ଏସ୍‌ଏସ୍ ହେଉଛି ବିଶ୍ୱର ସର୍ବବୃହତ ଯୁବ କାର୍ଯ୍ୟକ୍ରମ ବୋଲି ରବିବାର ଦିନ ସୂଚନା ଦେଇଛନ୍ତି ଏହାର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ ।

ଏନ୍‌ଏସ୍‌ଏସ୍ ହେଉଛି ମୁଖ୍ୟତଃ ଏକ ପ୍ରେରଣାତ୍ମକ କାର୍ଯ୍ୟକ୍ରମ ଯାହାକି ସେବା ମାଧ୍ୟମରେ କରାଯାଇଥାଏ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ୧୦ ଦିନିଆ ପୂର୍ବାଞ୍ଚଳ ପ୍ରାକ୍‌-ସାଧାରଣତନ୍ତ୍ର ଦିବସ କ୍ୟାମ୍ପର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଡଃ ଭଗବାନ୍ ପ୍ରକାଶ କରିଥିଲେ ।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ବିଭାଗ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ୟାମ୍ପରେ ପୂର୍ବାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳର ୧୦ ଟି ରାଜ୍ୟରୁ ୧୦୦ ଜଣ ବାଳକ ଓ ୧୦୦ ଜଣ ବାଳିକା ଯୋଗ ଦେଇଛନ୍ତି । ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ। ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ମାନଙ୍କର ସଫଳତାକୁ ମନେ ପକାଇ ଡଃ ପ୍ରକାଶ କହିଛନ୍ତି ଯେ ଏହି ଅନୁଷ୍ଠାନ ପ୍ରେରଣା ମାଧ୍ୟମରେ ହିଁ ଆଗକୁ ବଢ଼ିବାକୁ ଉଦ୍ଦେଶ୍ୟ ରଖିଛି ।

ଭାରତ ନିର୍ବାଚନ କମିଶନଙ୍କର ପୂର୍ବତନ ମୁଖ୍ୟ ଉପଦେଷ୍ଟା ଡକ୍ଟର ପ୍ରକାଶ ନିଜର ଅନୁଭୂତିକୁ ବଖାଣି କହିଥିଲେ ଏକଦା ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍‌ରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କୁ ଯୋଗ ଦେବା ନେଇ ପ୍ରତିରକ୍ଷା ବିଭାଗ ପ୍ରତିବାଦ କରିଥିଲେ । ଏହି ପ୍ୟାରେଡ୍‌ରେ କେବଳ ମିଲିଟାରୀରେ ସାମିଲ ଥିବା କ୍ୟାଡେଟ୍ ଯୋଗ ଦେଇପାରିବେ ବୋଲି କାରଣ ଦର୍ଶାଯାଇଥିଲା ।

ତେବେ ଯେତେବେଳେ ଏନ୍‌ଏସ୍‌ଏସ୍ ବିଶ୍ୱର ସର୍ବବୃହତ୍ ଯୁବ କାର୍ଯ୍ୟକ୍ରମ ବୋଲି ଦର୍ଶାଯାଇ ଏନ୍‌ସିସି ଭଳି ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଥିଲା ସେତେବେଳେ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଏସ୍‌ଏସ୍‌କୁ ପ୍ୟାରେଡର ଅନ୍ୟତମ ଶ୍ରେଷ୍ଠ କଂଟିଜେଂଟ୍ ଭାବେ ପ୍ରଶଂସା କରାଯାଇଥିଲା ।

 

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରାୟୋଜିତ ପ୍ରାୟ ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଏଡ୍‌ସ୍‌ ସଚେତନତା ଅଭିଯାନରେ ମଧ୍ୟ ଏନ୍‌ଏସ୍‌ଏସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ଡଃ ପ୍ରକାଶ କହିଥିଲେ । ଲକ୍ଷାଧିକ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୧୮୮୮- ୮୯ରେ କେରଳର କୋଟାୟାମ୍‌କୁ ଭାରତର ପ୍ରଥମ ପୂର୍ଣ୍ଣ ସାକ୍ଷର ସହର ଭାବେ ଘୋଷଣା କରିବାର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ଏହି ଅବସରରେ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ ସବୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍‌ର ଜୀବନଶୈଳୀ ଓ ନିଃସ୍ୱାର୍ଥପର ସେବା ମନୋବୃତି ରହିବା ଆବଶ୍ୟକ।

ଏହି କାର୍ଯ୍ୟକ୍ରମରେ ଏନଏସ୍‌ଏସ୍ ଭୁବନେଶ୍ୱର ଶାଖାର ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ୍‌, ଉପ-ନିର୍ଦ୍ଦେଶକ ତଥା ଷ୍ଟେଟ୍ ନୋଡାଲ୍ ଅଫିସର ଡଃ ସୁରେଖା ସୁନ୍ଦରୀ ସ୍ୱାଇଁ, ବେସିକ୍ ସାଇନ୍ସ କଲେଜ, ଓୟୁଏଟିର ନିର୍ଦ୍ଦେଶକ ଡଃ ବିକାଶ ଚନ୍ଦ୍ର ପଣ୍ଡା, ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସୋଆର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡଃ ନଚିକେତା ଶର୍ମା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ଓଡ଼ିଶା, ପଶ୍ଚିମବଂଗ, ସିକିମ୍‌, ଅରୁଣାଚଳ ପ୍ରଦେଶ, ଆସାମ୍‌, ମେଘାଳୟ, ତ୍ରିପୁରା, ମଣିପୁର, ମିଜୋରାମ୍ ଏବଂ ନାଗାଲାଣ୍ଡ ର ସ୍ୱେଚ୍ଛାସେବୀମାନେ କୋଭିଡ ନିୟମ ପାଳନ କରି ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ ଅନୁମତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

Comments are closed.