Odisha Link
Bridging the Missing Links in Odisha

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା

ଭୋପାଳ: ପୁଣି ଜଣେ କରୋନା ଯୋଦ୍ଧା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ବୁନ୍ଦେଲଖଣ୍ଡ ସରକାରୀ ମେଡିକାଲ କଲେଜର ୨୬ ବର୍ଷ ବୟସ୍କ ଡାକ୍ତର ଶୁଭମ ଉପାଧ୍ୟାୟ ନିଜେ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି।

ବୁଧବାର ଭୋପାଳର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି। ସୂଚନାଯୋଗ୍ୟ, ଏହା ଡକ୍ଟର ଶୁଭମଙ୍କର ପ୍ରଥମ ନିଯୁକ୍ତି ଥିଲା। ଚାକିରରେ ଯୋଗ ଦେବାର ପ୍ରଥମ ଦିନରୁ ସେ କୋଭିଡ ରୋଗୀଙ୍କୁ ବଞ୍ଚାଇବାରେ ନିୟୋଜିତ ହୋଇଥିଲେ।

ଏହି ସମୟ ମଧ୍ୟରେ ସେ ନିଜେ ସଂକ୍ରମଣର ଶିକାର ହୋଇଥିଲେ। ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ନଭେମ୍ବର ୧୦ରେ ଭୋପାଳର ଭିଭା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର ଦେହାନ୍ତ ହୋଇଛି।

ଡକ୍ଟର ଶୁଭମଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ସମବେଦନା ଜଣାଇଛନ୍ତି। ଚିରାୟୁ ମେଡିକାଲ କଲେଜ ନିର୍ଦ୍ଦେଶକ ଡକ୍ଟର ଅଜୟ ଗୋଏଙ୍କା କହିଛନ୍ତି ଯେ ୨୬ ବର୍ଷିୟ ଡାକ୍ତର ଶୁଭମ ଉପାଧ୍ୟାୟ ବୁଧବାର ଆମ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି।

ସେ କରୋନା ଭୂତାଣୁ ସଂକ୍ରମିତ ହୋଇ ୧୦ ନଭେମ୍ବରରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଫୁସଫୁସ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସେ କହିଛନ୍ତି । ଆମେ ବହୁ ଚେଷ୍ଟା କରିଥିଲୁ କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ହୋଇନଥିଲା।

Comments are closed.