Odisha Link
Bridging the Missing Links in Odisha

ନୟାଗଡ଼: ପରୀ ହତ୍ୟା ପଛରେ ଏହି ୬ଟି କାରଣ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ୫ ବର୍ଷର ନିଷ୍ପାପ ବାଳିକା ଅମୃତା ସ୍ନେହା ସାହୁ ଓରଫ୍‌ ପରୀ ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ହଟାଇବାରେ ଜିଲ୍ଲା ପୁଲିସ ବିଫଳ ହେବା ପରେ ସରକାର ଏ ମାମଲାକୁ କ୍ରାଇମ୍‌ ବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ବିଧାନସଭା ଚାଲିଥିବା ସମୟରେ ପରୀ ପ୍ରସଙ୍ଗକୁ ରାଜନୈତିକ ରୂପ ଦେବାର ଉଦ୍ୟମ ବିଫଳ ହୋଇଛି। ପରୀ ଅଥବା ତାଙ୍କ ପରିବାରର ଦୂର ଦୂର ପର୍ଯ୍ୟନ୍ତ କୌଣସି ରାଜନୈତିକ ସଂପୃକ୍ତି ନଥିବା ବେଳେ ହତ୍ୟାକାଣ୍ଡ ପଛରେ ଭିନ୍ନ କାରଣ ଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ପରୀର ବାପାମା’ ସ୍ଥାନୀୟ ସରପଞ୍ଚଙ୍କ କଥାରେ ପରିଚାଳିତ ହେଉଥିବା ଏକ ଭାଇରାଲ୍‌ ଅଡିଓରୁ ସ୍ପଷ୍ଟ ବାରିହେଉଛି। ସରପଞ୍ଚ ଇଚ୍ଛାକଲେ ପରୀର ବାପାମା’ଙ୍କୁ ସାଙ୍ଗରେ ନେଇ ଭୁବନେଶ୍ବର ଆସିପାରିବେ ବୋଲି ଅଡିଓରେ କହୁଛନ୍ତି। ପରୀ ଆନ୍ଦୋଳନକୁ ରାଜନୈତିକ ରୂପ ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗକୁ ସରପଞ୍ଚଙ୍କର ଏ ଦାବି ଅଧିକ ସ୍ପଷ୍ଟ କରିଛି। ଏଭଳି ସମୟରେ ସ୍ଥାନୀୟ ବିଧାୟକଙ୍କର କିଛି ପାରମ୍ପରିକ ବିରୋଧୀଙ୍କ ସହ ସରପଞ୍ଚଙ୍କ ସମେତ ପରୀଙ୍କ ପିତା ସାମିଲ ହୋଇ ଆନ୍ଦୋଳନ ନେଇ ପ୍ରସ୍ତୁତି ଆଲୋଚନା କରିବା ଓ ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଏ ସନ୍ଦେହ ଦୃଢ଼ୀଭୂତ ହୋଇଛି।

ତେବେ ସବୁ ଷଡ଼ଯନ୍ତ୍ର, ସନ୍ଦେହ ଓ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ଟାଣିଦେଇଛି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ବିବୃତି। ପରୀକୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି। ଦୋଷୀ ଯେ କେହି ହୋଇତାଉ ନା କାହିଁକି ତାଙ୍କୁ ଚିହ୍ନଟ କରି ଦଣ୍ଡଦିଆଯାଉ ବୋଲି ଡ. ସାହୁ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି।

ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁର ପରୀ ନିଖୋଜ ହେବାର ୧୫ ଦିନ ପରେ ଏକ ଅଖା ଭିତରୁ ତାଙ୍କ କଙ୍କାଳ ମିଳିଥିଲା। ଏ ଭିତରେ ୪ ମାସ ବିତି ଯାଇଥିଲେ ହେଁ ପରୀ ହତ୍ୟାକାଣ୍ଡର କାରଣ ଓ ହତ୍ୟାକରୀଙ୍କୁ ଧରିବାରେ ପୁଲିସ ବିଫଳ ହୋଇଛଇ। ତେବେ ହତ୍ୟାକାଣ୍ଡର ଭିନ୍ନ ଭିନ୍ନ ସମ୍ଭାବ୍ୟ କାରଣ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି। ପୁଲିସ ମଧ୍ୟ ଏସବୁ ମଧ୍ୟରୁ କିଛି ସମ୍ଭାବନାକୁ ନିଜ ତଦନ୍ତ ପରିସରରେ ବିଚାରକୁ ନେଇଛି। ସେଭଳି କିଛି ସମ୍ଭାବନା ଉପରେ ଆମେ ଏ ରିପୋର୍ଟରେ ଅନୁଶୀଳନ କରିବା।

ମାନରକ୍ଷା-ହତ୍ୟା (ଅନର୍‌ କିଲିଂ)

ବିଭିନ୍ନ ସମୟରେ ପରିବାର, ସମାଜ ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅଥବା ବ୍ୟକ୍ତି ନିଜର ମାନ ରକ୍ଷା ପାଇଁ ହତ୍ୟାକାଣ୍ଡ ଭିଆଇବାର ଉଦାହରଣ ରହିଛି। ତେବେ ପରୀର ବୟସ ଖୁବ୍‌ କମ ହୋଇଥିବା ବେଳେ ସେ ଏଭଳି କିଛି ବି କରି ନଥିବେ ଯାହା ପରିବାର ବା ସମାଜର ମାନହାନି ହେବା ଭଳି ପରିସ୍ଥିତି ସୃଷ୍ଟି କରିଥିବ। କିନ୍ତୁ ହୁଏତ ସେ ଏମିତି କିଛି ଘଟଣା ବା ଦୃଶ୍ୟ ଦେଖି ନେଇଥିବେ ଯାହା ପରବର୍ତ୍ତୀ ସମୟରେ ସେ ଅନ୍ୟକୁ କହିବାର ସମ୍ଭାବନା ଥିବ। ସେ ଦୃଶ୍ୟ ବାବଦରେ ଯଦି ଅନ୍ୟମାନେ ଜାଣିଗଲେ କାହାର ସମ୍ମାନ ହାନି ହେବାର ସମ୍ଭାବନା ଥିବ, ତେବେ ସେହି ଭୟରେ ତାଙ୍କୁ କେହି ହତ୍ୟା କରିଥାଇପାରେ।

ଧର୍ଷଣ

୧୫ ଦିନ ପରେ ଶବ ମିଳିଥିବାରୁ ଏଭଳି ଅଭିଯୋଗର ପ୍ରମାଣ ପାଇବା ପୁଲିସ ପାଇଁ ଯଦିଓ କଷ୍ଟକର, ପରୀ ପ୍ରତି ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। କେହି ହୁଏତ ପରୀକୁ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିବା ପରେ ଧରାପଡ଼ିଯିବା ଭୟରେ ପରୀଙ୍କୁ ହତ୍ୟା କରିଥାଇପାରନ୍ତି। ତେବେ ଧର୍ଷଣ ନେଇ ଏଯାଏଁ ପୁଲିସକୁ କୌଣସି ପ୍ରମାଣ ମିଳିନାହିଁ।

ପାରିବାରିକ କଳହ

ପାରିବାରିକ କଳହ ବା ପରୀ ପରିବାର ସହ କୌଣସି ପୂର୍ବ ଶତ୍ରୁତା କାରଣରୁ କେହି ଏଭଳି କାଣ୍ଡ ଭିଆଇ ଥାଇପାରେ। ଏଭଳି କ୍ଷେତ୍ରରେ ପରିବାରର ଅତ୍ୟନ୍ତ ନିକଟ ସମ୍ପର୍କୀୟ ଅଧିକ ସନ୍ଦେହ ଘେରକୁ ଆସିବେ। ତେବେ ପରିବାରର ପଲିଗ୍ରାଫ ପରୀକ୍ଷାରୁ ଏ ନେଇ କାଣିଚାଏ ବି ସୁରାକ ପାଇନାହିଁ ନୟାଗଡ଼ ପୁଲିସ।

ଅଙ୍ଗ ଚୋରି

ନିଜର ଚିକିତ୍ସା ସୁବିଧା ପାଇଁ ଅଥବା ଅଙ୍ଗ ବ୍ୟବସାୟରେ ସଂପୃକ୍ତ କେହି ପରୀ ଶରୀରରୁ କିଛି ଅଙ୍ଗ ଚୋରି କରିବା ପାଇଁ ତାଙ୍କୁ ପ୍ରଥମେ ଅପହରଣ କରି ପରେ ହତ୍ୟା କରିଥାଇପାରନ୍ତି। ଏ ନେଇ ପରୀର ବାପା ମଧ୍ୟ ସନ୍ଦେହ ପ୍ରକଟ କରିଛନ୍ତି।

ଗୁଣିଗାରେଡି / ବଳି

ନୟାଗଡ଼ ଓ ପଡ଼ୋଶୀ ଫୁଲବାଣୀ ଜିଲ୍ଲାରେ ଗୁଣିଗାରେଡ଼ିର ପ୍ରାବଲ୍ୟ ଥିବା ବେଳେ ପରୀ ହତ୍ୟାକାଣ୍ଡ ପଛରେ ଏଭଳି ଏକ ଅନ୍ଧବିଶ୍ବାସ ରହିବା ସମ୍ଭାବନାକୁ ଏଡ଼ାଇ ହେବନାହିଁ। ଗୁଣିଗାରେଡ଼ି ପାଇଁ ଅଥବା ମାନସିକ ପୂରଣ ଉଦ୍ଦେଶ୍ୟରେ ପରୀଙ୍କୁ ଅପହରଣ କରିନେଇ କେହି ହତ୍ୟା କରିଥାଇ ପାରନ୍ତି।

ଦୁର୍ଘଟଣା

ଏମିତି ବି ହୋଇପାରେ ବିନା କୌଣସି ପୂର୍ବ କାରଣରୁ ବି ଏ ହତ୍ୟାକାଣ୍ଡ ଘଟିଥାଇପାରେ। କୌଣସି ଦୁର୍ଘଟଣା ବା କାହାଦ୍ବାରା ଭୁଲ ବଶତଃ ପରୀଙ୍କର ମୃତ୍ୟୁ ହୋଇଥାଇପାରେ। ଅନ୍ୟମାନେ ଜାଣିଯିବା ଭୟରେ ହୁଏତ କେହି ତାଙ୍କୁ ହତ୍ୟା କରିଥାଇ ପାରନ୍ତି।

ଉପରୋକ୍ତ ଛଅଗୋଟି ସମ୍ଭାବନା ନେଇ ପୁଲିସ ହାତରେ ଏଯାଏଁ କାଣିଚାଏ ବି ପ୍ରମାଣ ଲାଗିନାହିଁ। ଏଣୁ ଘଟଣାର ୪ ମାସ ପରେ ବି ପୁଲିସ ଏ ମାମଲାରେ କିଛି ଅଗ୍ରଗତି କରି ପାରିନାହିଁ। ଅନୁରୂପ ଗୋଟିଏ ଘଟଣା ୨୦୧୪ ମସିହାରେ ନୟାଗଡ଼ ଜିଲ୍ଲାରେ ପୁଲିସ ପାଇଁ ରହସ୍ୟାବୃତ ହୋଇ ରହିଥିଲା। ଚାନ୍ଦପୁରରେ ଗୋଟିଏ ଲୁଟ୍‌ ସହ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ହତ୍ୟାକାଣ୍ଡର କାରଣ ଜାଣିବା ଓ ହତ୍ୟାକାରୀଙ୍କୁ ଧରିବାରେ ପୁଲିସ ବିଫଳ ହୋଇଥିଲା। ୨ ବର୍ଷ ପରେ ୨୦୧୬ରେ ପୁଲିସ ଏହି ଘଟଣାରେ ସଫଳତା ପାଇଥିଲା ଓ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ଆଶା କରିବା ଏବେ କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଭାର ନେବା ପରେ ପୁଲିସକୁ ଏ ଦିଗରେ ଅଧିକ କିଛି ସଫଳତା ମିଳିପାରେ।

Comments are closed.