Odisha Link
Bridging the Missing Links in Odisha

ନୟାଗଡ଼ରେ ପୁଣି ସକ୍ରିୟ ନକ୍ସଲ!

ଦଶପଲ୍ଲା: ନୟଗାଡ଼ ଜିଲ୍ଲାରେ ବିଭିନ୍ନ ସମୟରେ ନକ୍ସଲବାଦୀମାନେ ନିଜର ପତିଆରା ଜାହିର କରିବା ପାଇଁ ବିଭିନ୍ନ ହମ୍‌ଲା ଘଟାଇଥିବା ବେଳେ କିଛି ଦିନର ନିରବତା ପରେ ଗତ ଜୁଲାଇ ମାସରେ ପୁଲିସ ଡିଜି ନୟାଗଡ଼ ଜିଲ୍ଲାକୁ ନକ୍ସଲମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି।

ତେବେ ଏହା ମଧ୍ୟରେ ଦଶପଲ୍ଲାର ବାଇଶିପଲ୍ଲୀ ଅଭାୟରଣ୍ୟର ଘଞ୍ଚ ଜଙ୍ଗଲରେ ଏବେ ପୁଣି ନକ୍ସଲବାଦୀଙ୍କୁ ଦେଖିବାକୁ ମିଳିଛି। ଦୁଇଟି ଦଳରେ ଏହି ମାଓବାଦୀ ମାନେ ରହିଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ସଶସ୍ତ ନକ୍ସଲ ସଂଗଠନର କାୟା ବୃଦ୍ଧି ପାଇଁ ସଦସ୍ୟ ସଂଗ୍ରହରେ ଲାଗି ପଡ଼ିଥିବା ଜଣା ପଡ଼ିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂୂଚନା ଅନୁଯାୟୀ, ଗୋଟିଏ ଗୋଟିଏ ଗୋଷ୍ଠୀରେ ପ୍ରାୟ ୧୭/ ୧୮ ଜଣ ନକ୍ସଲବାଦୀ ରହିଛନ୍ତି। ୨/ ୩ ଦିନ ହେବ ଏହି ନକ୍ସଲବାଦୀ ମାନେ ବୌଦ୍ଧ ଜିଲ୍ଲାର କୁଶଙ୍ଗ ଏବଂ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକସ୍ଥିତ ବାଇଶିପଲ୍ଲୀ ଅଭୟାରଣ୍ୟର ଗେରେଗେଡ଼ି ଏବଂ ତଳିଆସାହି ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ଏପରିକି ସଂଗଠନକୁ ସୁଦୃଢ଼ କରିବା ପାଇଁ ଆଖପାଖ ଗ୍ରାମରେ ବୈଠକ କରିବା ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ସୂର୍ବରୁ ନକ୍ସଲବାଦୀ ମାନେ ଡମାଘାଟି, ଗେରେଗେଡ଼ି, ଢିପିସାହି ପ୍ରଭୃତି ଅଂଚଳରେ ଥିବା ଫରେଷ୍ଟ ବିଟ୍‌ ହାଉସରେ ହମ୍‌ଲା କରିଥିବା ବେଳେ ଏବେ ପୁନର୍ବାର କିଛି ନକ୍ସସଲବାଦୀ ଏସବୁ ବିଟ୍‌ ହାଉସର ଫଟୋ ଉଠାଇ ନେଇଥିବା ସୂଚନା ରହିଛି। ଯାହାକି ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Comments are closed.