ଏଣିକି ପଛରେ ବସୁଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ଵର: ଏଣିକି ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିବେ ତେବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହେବ। ମୋଟର ଯାନ ଆକ୍ଟ ୨୦୧୯ ଆଧାରରେ ଏହି ନିୟମ ରାଜ୍ୟରେ କଡ଼ାକଡ଼ି ପାଳନ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧୀକରଣ(ଏସଟିଏ) ପକ୍ଷରୁ ଆଜି ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ପ୍ରକାଶ ଯେ, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପୂର୍ବରୁ ଘୋଷଣା କରିଥିଲେ ଯେ, ମାର୍ଚ୍ଚ ୧ରୁ ରାଜ୍ୟରେ ବାଇକ୍ ପଛରେ ବସୁଥିବା ଆରୋହୀ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ। ତିନି ମାସ ପାଇଁ ଏଥିରେ ଦିଆଯାଇଥିବା କୋହଳ ଅବଧି ଶେଷ ହେବା ପରେ ୨୦୨୦ ମାର୍ଚ୍ଚରୁ ଏହି ନିୟମ ଲାଗୁ କରାଯିବାର ଥିଲା।
ହେଲେ ଦେଶରେ କୋଭିଡ୍-୧୯ ମହାମାରୀ କାରଣରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରାଯାଇ ପାରିନଥିଲା। ନିୟମ ଅନୁସାରେ, ରାଜ୍ୟରେ ଚାରି ଚକିଆ ଯାନରେ ଚାଳକ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଗତ ବର୍ଷ ନଭେମ୍ବର ୨୮ରେ ରାଜ୍ୟ ସରକାର ଏହି ନୂତନ ନିୟମ ଲାଗୁ କରିବାର ଅବଧିକୁ ଆଉ ତିନି ମାସ ପାଁ ଘୁଞ୍ଚାଇ ଥିଲେ।