ଆଜିଠୁ ଇକୋ-ରିଟ୍ରିଟ୍, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ୫ ଜିଲ୍ଲାରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧.୩୦ରେ ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ଏହାର ଉଦ୍ଘାଟନ କରିବେ। ଏଥିରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଯୋଗଦେବା ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ଭାବେ ଯୋଗଦେବେ। ୫ ଜିଲ୍ଲାର ସାଂସଦ, ବିଧାୟକ ଓ ଜିଲ୍ଲାପାଳଙ୍କ ଦ୍ୱାରା ଇକୋ-ରିଟ୍ରିଟର ଶୁଭାରମ୍ଭ କରାଯିବ।
କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ଯ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସ୍ଥଗିତ ଥିଲା ଏହି କାର୍ଯ୍ୟକ୍ରମ। ତେବେ ପୁରୀ ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଇକୋ ରି-ଟ୍ରିଟ୍ ସୁବିଧା ଆୟୋଜନ କରାଯାଇଛି। ୩ ମାସ ଧରି ଏହି ଇକୋ-ରିଟ୍ରିଟ୍ ଚାଲିବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଫେଷ୍ଟିଭାଲର ପ୍ରସ୍ତୁତି କାର୍ଯ୍ୟକୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚିନ ରାମଚନ୍ଦ୍ରନ ଯାଦବ ଓ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂହ ସମୀକ୍ଷା କରୁଥିଲେ ।
କୋଭିଡ୍ ଗାଇଡ୍ ଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିବ। ଚଳିତ ବର୍ଷ ୩ ମାସ ପାଇଁ ୫୦ଟି କଟେଜରେ ପର୍ଯ୍ୟଟକ ମାନେ ରହିବାର ବ୍ୟବସ୍ଥା କରାଯାଇଛି । ଦୀର୍ଘ ୮ ମାସ ହେଲା କରୋନା କଟକଣା ପାଇଁ ସମ୍ପୂର୍ଣ୍ଣ ବନ୍ଦ ପଡିଥିବା ପର୍ଯ୍ୟଟନ ଶିଳ୍ପ ପୁଣି ଚଳଚଂଚଳ ହେବ ବୋଲି ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆଶା ରଖିଛି। ଏହାସହ ରାଜ୍ୟର ଅନ୍ୟ ୪ ସ୍ଥାନରେ ପର୍ଯ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍ ସୁବିଧା। ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁତଳେ ତାରକା ହୋଟେଲ ଏବଂ ବାର୍ର ସୁବିଧା ପାଇପାରିବେ। ଏଥିସହ ଜଳକ୍ରୀଡ଼ା, ବୋଟିଂ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ସୁବିଧା ମଧ୍ୟ ରହିଛି।
ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛି । ପୂର୍ବରୁ ଚନ୍ଦ୍ରଭାଗାରେ ଆୟୋଜିତ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମକୁ ପର୍ଯ୍ୟଟକ ବେଶ୍ ପସନ୍ଦ କରିଥିଲେ ତେଣୁ ଏହାକୁ ପୁଣିଥରେ ବିଭିନ୍ନ ସ୍ଥାନରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ଚଳିତବର୍ଷ କୋଣାର୍କ, ହୀରାକୁଦ, ଦାରିଙ୍ଗିବାଡ଼ି, ସାତକୋଶିଆ, ଭିତରକନିକାରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।