Odisha Link
Bridging the Missing Links in Odisha

ଶିକ୍ଷାନୁଷ୍ଠାନ ଖୋଲିବା ଭିନ୍ନ ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ

ଭୁବନେଶ୍ୱର: ସ୍କୁଲ ଓ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ମନ୍ତବ୍ୟଙ୍କୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଭଳି ମନ୍ତବ୍ୟ ନଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଗିଦ୍ କରିଛନ୍ତି। କୋଭିଡ୍ ସ୍ଥିତିକୁ ଆକଳନ କରିବା ପରେ ଯାହା ଠିକ୍ ସରକାର ଉପଯୁକ୍ତ ପଦକ୍ଷେପ ନେବେ। ତେଣୁ ଏଭଳି ବୟାନବାଜିରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର କୋଭିଡ୍ ମୁକାବିଲା କାର୍ଯ୍ୟକ୍ରମକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇ ପାରିଛି। ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। କୋଭିଡ୍ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ୱାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ- ରାଜ୍ୟ ସରକାର ଜୀବିକା ସୃଷ୍ଟି ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ ଏମଏସଏମଇ ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ ବୋଲି କହିଥିଲେ। ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅବହେଳା କରୁଥିବା ବ୍ୟାଙ୍କ ସମ୍ପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- ଏଥିପାଇଁ ଓଡ଼ିଶାରେ ସମ୍ପୂର୍ଣ୍ଣ ଡାଟାବେସ୍‌ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ବୋଲି ପ୍ରକାଶ କରି ଏ ସମୟରେ ସମସ୍ତ ପ୍ରକାର କୋଭିଡ୍ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। କୋଭିଡ୍ ନିୟମାବଳୀ ଓ ଟୀକାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଉପଯୁକ୍ତ ସୂଚନା ଅଭିଯାନ ମଧ୍ୟ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ।

Comments are closed.