Odisha Link
Bridging the Missing Links in Odisha

ଅଟକିଲା ବାଲ୍ୟ ବିବାହ, ଶିଶୁପାଳ ହୋଇ ଫେରିଲେ ବର

ଦେବଗଡ଼: ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତି। ଆଉ କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି। ମାତ୍ର ବିବାହ ପୂର୍ବରୁ ଶିଶୁପାଳ ହୋଇ ଘରକୁ ଫେରିଲେ ବର। ଏଭଳି ଏକ ଘଟଣା ଦେଖଇବାକୁ ମିଳିଛି ଦେବଗଡ଼ ଥାନା ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ। ଚାଇଲଡ ଲାଇନ ପକ୍ଷରୁ ପୁଲିସ ସହାୟତାରେ ଏକ ବାଲ୍ୟ ବିବାହ ରୋକା ଯାଇଥିବା ଜଣା ପଡିଛି ।

ସୂଚନା ମୁତାବକ, ଘୁରୁଡୁ ଖମଣ ଗ୍ରାମର ଯୋଗେଶ୍ୱର ପ୍ରଧାନଙ୍କ ଏକମାତ୍ର କନ୍ୟାର ବିବାହ ବାରକୋଟ ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମର ରମେଶ ସାହୁଙ୍କ ପୁଅ ମଣ୍ଟୁ ସହ ଆଜି ଅନୁଷ୍ଠିତ ହେବାର ଥିଲା। ବିବାହ ପାଇଁ କନ୍ୟା ପକ୍ଷ ସମସ୍ତ ଆୟୋଜନ କରି ଭୋଜି ଭାତ ରନ୍ଧାରାନ୍ଧି ଆରମ୍ଭ କରି ସାରିଥିଲେ । ବନ୍ଧୁ ବାନ୍ଧବ ରେ କନ୍ୟା ଘର ଭରି ସାରିଥିଲେ। ତେବେ ବିବାହ ହେବାକୁ ଯାଉଥିବା କନ୍ୟା ନାବାଳିକା ବୋଲି କୌଣସି ସୂତ୍ରରୁ ସୂଚନା ପାଇ ଚାଇଲଡ କର୍ମକର୍ତା ରମାକାନ୍ତ ସାହୁ ଦେବଗଡ଼ ଥାନା ପୁଲିସ ସହାୟତା ରେ ଉକ୍ତ ସ୍ଥାନ ରେ ପହଞ୍ଚି ବିବାହକୁ ବେଆଇନ ଦର୍ଶାଇ ବନ୍ଦ କରିବାକୁ ସେଠାରେ ପହଁଚି ଥିଲେ।

ପୁଲିସ ଓ ଚାଇଲଡ ଲାଇନ କର୍ମକର୍ତାଙ୍କୁ ଦେଖି କନ୍ୟା ପକ୍ଷ ପରିବାର ଓ ଅନ୍ୟାନ୍ୟ ପାଖ ପଡୋଶୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ତେବେ ବାରକୋଟ ସିଡିପିଓ ପ୍ରବୀଣା ମିଶ୍ର, ଦେବଗଡ଼ ଥାନାର ଏଏସଆଇ ଡ଼ିଲେଶ୍ୱର ପ୍ରଧାନ ମହିଳା ସିଏସଆଇ ତରସିଲା ବାର୍ଲ। ଓ ଦେବଗଡ଼ ଚାଇଲଡ ଲାଇନ ର ରମାକାନ୍ତ ସାହୁ ପ୍ରମୁଖ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ପରିବାର ଲୋକଙ୍କ ସହମତିରେ ବିବାହକୁ ବନ୍ଦ କରାଯାଇଥିଲା ।

Comments are closed.