Odisha Link
Bridging the Missing Links in Odisha

ସନ୍ନି ଦେଓଲଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା ‘Y’ କ୍ୟାଟେଗୋରୀ ସୁରକ୍ଷା। ସନ୍ନିଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। କୃଷକ ଆନ୍ଦୋଳନକୁ ନଜରରେ ରଖି କେନ୍ଦ୍ର ସରକାର ତାଙ୍କୁ ‘Y’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେଇଛନ୍ତି। ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ପରେ ସନ୍ନିଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି।

ତାଙ୍କ ସହ କେନ୍ଦ୍ର ସୁରକ୍ଷାବଳର ଗୋଟିଏ ଟିମ୍ ସର୍ବଦା ଉପସ୍ଥିତ ରହିବ। Y ଶ୍ରେଣୀ ସୁରକ୍ଷାରେ ତାଙ୍କ ସହ ୧୧ ଯବାନ ଓ ୨ ଜଣ ପିଏସ୍‌ଓ ରହିବେ। ଗତ ସପ୍ତାହରେ ଗୁର୍ଦାସପୁର ସାଂସଦ ସନ୍ନି ଦେଓଲ ଚାଷୀ ଆନ୍ଦୋଳନକୁ ନେଇ ଏକ ଟ୍ବିଟ କରିଥିଲେ। ତାଙ୍କ ଟ୍ବିଟକୁ ନେଇ ବିବାଦ ଉଠିଥିଲା। ସେ କହିଥିଲେ, ଏହି ମାମଲା ସରକାର ଏବଂ କୃଷକଙ୍କ ମଧ୍ୟରେ ରହିବା ଉଚିତ। ଅନେକ ଲୋକେ କୃଷକଙ୍କୁ ଉସକାଉଛନ୍ତି, ଏହା କରିବା ବନ୍ଦ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଏଥିସହ ସନ୍ନି କହିଥିଲେ ଅନେକ ଲୋକେ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଏବଂ ସମସ୍ୟା ଉତ୍ପନ୍ନ କରୁଛନ୍ତି। ସେମାନେ ଚାଷୀ କଥା ଭାବନ୍ତୁ ନାହିଁ। ସେମାନଙ୍କ ନିଜର ଏଜେଣ୍ଡା ରହିଛି । ସରକାରଙ୍କ ସହ ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପରେ ନିଶ୍ଚୟ କିଛି ନିଷ୍କର୍ସ ବାହାରିବ। ଆମ ସରକାର ସବୁ ବେଳେ କୃଷକଙ୍କ ସହ କଥା ହେବାକୁ ରାଜି ଅଛନ୍ତି ବୋଲି ସେ କହିଥିଲେ। ସନ୍ନି ଦେଓଲଙ୍କ ଏହି ଟ୍ବିଟକୁ ନେଇ ବିବାଦ ଆରମ୍ଭ ହୋଇଥିଲା।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପଞ୍ଜାବ ଗୁର୍ଦାସପୁର ସାଂସଦ ସନ୍ନି ଦେଓଲ କୃଷି ଆଇନକୁ ନେଇ ଚୁପ ରହିଥିଲେ । କେବଳ ସେତିକି ନୁହେଁ କୃଷକ ଆନ୍ଦୋଳନକୁ ନେଇ ମଧ୍ୟ କିଛି ମୁହଁ ଖୋଲିନଥିଲେ। ଏହାକୁ ନେଇ ପ୍ରଶ୍ନ ଉଠିଥିଲା।

 

Comments are closed.