ଇସ୍ତଫା ଦେଲେ ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ପ୍ରଭାରୀ

ନୂଆଦିଲ୍ଲୀ: ଛାତ୍ରଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆର ରାଷ୍ଟ୍ରୀୟ ପ୍ରଭାରୀ ରୂଚୀ ଗୁପ୍ତା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଏମିତି ସମୟରେ ଆସିଛି ଯେତେବେଳେ କଂଗ୍ରେସ ନୂଆ ଅଧ୍ୟକ୍ଷ ଚୟନ କରିବା ସହ ଆହୁରି ଅନେକ ଗରୁତ୍ୱପୂର୍ଣ୍ଣ ବିଷୟ ଉପରେ ବୈଠକ କରୁଛି। ଗୁପ୍ତାଙ୍କୁ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ। ହ୍ୱାଟସଆପ୍ ରେ ପଠାଯାଇଥିବା ଏହି ଇସ୍ତଫାରେ ରୂଚୀ ସାଂଗଠନିକ ପରିବର୍ତ୍ତନର ବିଳମ୍ବ ଭଳି ଆରୋପ ଲଗାଇଛନ୍ତି ।
ରୂଚୀ ଗୁପ୍ତାଙ୍କର ଏଭଳି ଇସ୍ତଫା ଦଳକୁ ଅଡୁଆରେ ପକାଇବ। କାରଣ ଗୋଟିଏ ପଟେ ଅସନ୍ତୁଷ୍ଟ ନେତା ମାନଙ୍କୁ ମନାଇବାକୁ ସୋନିଆ ଗାନ୍ଧୀ ପ୍ରୟାସ ଆରମ୍ଭ କରିଥିବା ବେଳେ ରୂଚୀ ଅସନ୍ତୁଷ୍ଟ ହେବା। ରୂଚୀ ଏନଏସୟୁଆଇ ର ପ୍ରମୁଖ ସଚିବ ଥିଲେ । ସୂଚନା ମୁତାବକ ସେ ଏକ ହ୍ୱାଟସଆପ ମେସେଜରେ କହିଛନ୍ତି କି ସଂଗଠନରେ ପରିବର୍ତ୍ତନ ଆଣିବାକୁ ଦଳର ମହାସଚିବ କେ.ସି ବେଣୁ ଗୋପାଳ କ୍ରମାଗତ ଭାବେ ଡେରି କରୁଛନ୍ତି। ଯାହା ଫଳରେ ପାର୍ଟିର କ୍ଷତି ହେଉଛି ।
ଏହାସହ ରୂଚୀ ଟ୍ୱିଟ୍ ଯୋଗେ କହିଛନ୍ତି କି ‘ମୋତେ ଦୁଖର ସହ ଏହା କହିବାକୁ ପଡୁଛି କି ମୁଁ ପାର୍ଟିରୁ ଇସ୍ତଫା ଦେଉଛି, ମୋତେ ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନିକଟରେ କୃତଜ୍ଞ। ଗୁପ୍ତା ପଦ ଛାଡିବା ପୂର୍ବରୁ ‘ଦ ହିନ୍ଦୁ’ରେ ଏକ ଆର୍ଟିକିଲ ଲେଖିଥିଲେ। ଯେଉଁଥିରେ ସେ ଲେଖିଥିଲେ କି ‘କଂଗ୍ରେସ ପାର୍ଟି ସଂଗଠନ ମଧ୍ୟରେ ଥିବା ସମସ୍ୟାକୁ ସମାଧାନ କରିବାକୁ ତଳ ସ୍ତର ସହିତ ଯୋଡି ହେବାକୁ ପଡିବ ଓ ଉପରୁ ତଳ ପର୍ଯ୍ୟନ୍ତ ସ୍ଥିର ନେତୃତ୍ୱ ନିର୍ବାଚିତ କରିବାର ଆବଶ୍ୟକ ରହିଛି। ରୂଚୀ ଗୁପ୍ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ମହାସଚିବଙ୍କ ଦ୍ୱାରା ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ। ଏନେଇ ରୂଚୀଙ୍କୁ ଡାକି ତାଙ୍କ ସହ କଂଗ୍ରେସର ବରିଷ୍ଠ ନେତା ମାନେ ଆଲୋଚନା କରିବେ ବୋଲି ଜଣାପଡିଛି।