Odisha Link
Bridging the Missing Links in Odisha

ଟେଷ୍ଟ କ୍ରିକେଟ୍‌ରେ ଇତିହାସ ରଚିଲେ ମୟଙ୍କ ଅଗ୍ରଓ୍ବାଲ

ଆଡିଲେଡ: ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ପ୍ରଥମ ଇନିଂସରେ ଭଲ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଘରୋଇ ଅଷ୍ଟ୍ରେଲିଆ ଦଳ ୮ ଓ୍ବିକେଟରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ବାଜି ମାରି ନେଇଛି। ଅଷ୍ଟ୍ରେଲିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଟିମ୍‌ ଇଣ୍ଡିଆ ପ୍ରଥମ ଟେଷ୍ଟ ମ୍ୟାଚରେ ହାରିବା ପରେ ମଧ୍ୟ ଦଳର ଓପନର ବ୍ୟାଟସମ୍ୟାନ୍‌ ମୟଙ୍କ ଅଗ୍ରଓ୍ବାଲ ନୂଆ ରେକର୍ଡ କରିଛନ୍ତି।

ପ୍ରଥମ ଟେଷ୍ଟରେ ଦଳର ଓପନର ମୟଙ୍କ ଅଗ୍ରଓ୍ବାଲ ଫେଲ୍‌ ମାରିଥିଲେ। ସେ ପ୍ରଥମ ଇନିଂସରେ ୧୭ ଓ ଦ୍ବିତୀୟ ଇନିଂସରେ ଟିମ୍‌ ଇଣ୍ଡିଆ ପକ୍ଷରୁ ସର୍ବାଧିକ ୯ ରନ୍‌ କରିଥିଲେ। ଅପରପକ୍ଷେ ସେ ଶନିବାର ଦିନ ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ଟିମ୍‌ ଇଣ୍ଡିଆର ଓପନର ମୟଙ୍କ ଅଗ୍ରଓ୍ବାଲ ଟେଷ୍ଟ କ୍ରିକେଟରେ ନିଜର ୧ ହଜାର ରନ୍‌ ପୂରଣ କରିଛନ୍ତି। ସେ ମାତ୍ର ୧୯ଟି ଇନିଂସ ଖେଳି ୧୦୦୦ ରନ୍‌ ପୂରଣ କରିଛନ୍ତି। ସେ ଓପନର ବ୍ୟାଟସମ୍ୟାନ୍‌ ଭାବେ ଦ୍ରୁତତମ ୧୦୦୦ ରନ୍‌ ସଂଗ୍ରହ କରିଛନ୍ତି। ସେ ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ଖେଳାଳି ସୁନିଲ ଗାଭାସ୍କରଙ୍କ ରେକର୍ଡକୁ ପଛରେ ପକାଇଛନ୍ତି।

ପ୍ରକାଶ ଯେ, ଓପନର ଭାବେ ସୁନିଲ ଗାଭାସ୍କର ୨୧ ଟି ଇନିଂସ ଖେଳି ୧୦୦୦ ରନ୍‌ ପୂରଣ କରିଥିଲେ। ସଞ୍ଜୟ ମଞ୍ଜରକେର, ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି ସମସ୍ତେ ୨୩ଟି ଇନିଂସ ଖେଳି ଟେଷ୍ଟ କ୍ରିକେଟରେ ୧୦୦୦ ରନ୍‌ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ୧୦୦୦ ଦ୍ରୁତ ରନ୍‌ କରିବାର ରେକର୍ଡ ଅଅ୍ଟ୍ରେଲିଆର ହାବର୍ଟ ସୁଟକ୍ଲିଫ୍‌ ନାମରେ ରହିଛି। ଯିଏକି ମାତ୍ର ୧୨ଟି ଇନିଂସ୍‌ ଖେଳି ଏହି ସ୍କୋର କରିଛନ୍ତି।

ଏହା ସହିତ ତୃତୀୟ ଭାରତୀୟ ବ୍ୟାଟସମ୍ୟାନ୍‌ ଭାବେ ଟେଷ୍ଟ କ୍ରିକଟରେ ଦ୍ରୁତ ୧ହଜାର ରନ୍‌ ସଂଗ୍ରହ କରିଛନ୍ତି। ୧୦୦୦ ରନ୍‌ କ୍ଲବରେ ୬୭ତମ ଖେଳାଳି ଭାବେ ସେ ସାମିଲ ହୋଇଛନ୍ତି। ମୟଙ୍କ ଅଗ୍ରଓ୍ବାଲଙ୍କ ପୂର୍ବରୁ ବିନୋଦ କାମ୍ବଲୀ ୧୪ଟି ଟେଷ୍ଟ ଇନିଂସ୍‌ ଓ ଚେତେଶ୍ବର ପୂଜାରା ୧୮ଟି ଇନିଂସ୍‌ ଖେଳି ଦ୍ରୁତ ୧୦୦୦ ହଜାର ରନ୍‌ କରିଥିଲେ।

Comments are closed.