Odisha Link
Bridging the Missing Links in Odisha

ଓଡ଼ିଶା: ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଜାଣନ୍ତୁ ମତଦାନର ସମୟସୀମା..

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଆଉ ୪ ଦିନ ପରେ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ରାଜ୍ୟର ୪ଟି ସଂସଦୀୟ କ୍ଷେତ୍ର ପାଇଁ ନେତା ବାଛିବେ ସାଧାରଣ ଜନତା। ନିର୍ବାଚନର ମହାପର୍ବରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିର୍ବାଚନ କମିସନ ସଚେତନ କରିବାକୁ ବିଭିନ୍ନ ପ୍ରକ୍ରିୟା ଅବଲମ୍ବନ କରିଛନ୍ତି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟର ବାସିନ୍ଦା ମତଦାନ କରିବେ।

କଳାହାଣ୍ଡି

କଳାହାଣ୍ଡି ଲୋକସଭା କ୍ଷେତ୍ର ପାଇଁ ବିଜେଡି ଲମ୍ୱୋଦର୍ ନିଆଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଦ୍ରୌପଦୀ ମାଝୀ ଓ ବିଜେପି ମାଳବିକା ଦେବୀଙ୍କୁ ପ୍ରାର୍ଥୀ କରିଛି। ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପରେ ଜିଲ୍ଳା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ହେବା ସହ ଦୁଇ ଦୁଇ ଥର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି।

ଚଳିତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ଓ ବିଜେପି ମହିଳା କାର୍ଡ ଖେଳିଛି। କଂଗ୍ରେସ ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ୧୯୯୭ ମସିହାରେ ରାଜନୀତିରେ ପାଦ ଦେଇଥିବା ବେଳେ ୨୦୦୨ ମସିହାରେ ସମିତି ସଭ୍ୟା ଓ ପରେ ସରପଞ୍ଚ ହେବା ସହ ୨୦୧୨ ମସିହାରେ ରାମପୁର ବ୍ଲକ ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ବିଜେପି ଲୋକସଭା ପ୍ରାର୍ଥୀ ମାଳବିକା ଦେବୀ ରାଜନୀତି ମୈଦାନ ନୂଆ ଚେହେରା ଅଟନ୍ତି। ମାଳବିକା କଳାହାଣ୍ଡି ରାଜପରିବାର ବୋହୂ। ତାଙ୍କ ଶ୍ୱଶୁର ବିକ୍ରମ କେଶରୀ ଦେଓ ଏବଂ ସ୍ଵାମୀ ଅର୍କ କେଶରୀ ଦେଓଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ କଳାହାଣ୍ଡି ରାଜନୀତିରେ ସକ୍ରିୟ ଥିଲେ। ମାଳବିକା କଳାହାଣ୍ଡି ରାଜପରିବାରର ବୋହୂ ହେବା ପରେ ରାଜନୀତିକୁ ଅତି ନିକଟରୁ ଦେଖି ଆସୁଛନ୍ତି।

ନବରଙ୍ଗପୁର

ନବରଙ୍ଗପୁର ଲୋକସଭା ଆସନ ଆଇଁ ବିଜେଡିରୁ ପ୍ରଦୀପ ମାଝୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ବଳଭଦ୍ର ମାଝୀ, କଂଗ୍ରେସ ଭୁଜବଳ ମାଝୀଙ୍କୁ ପ୍ରାର୍ଥୀ କରିଛି।

କୋରାପୁଟ

କୋରାପୁଟ ଲୋକସଭା ଆସନ ପାଇଁ ପୁଣି ଥରେ ସପ୍ତଗିରି ଶଙ୍କର ଉଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ। ସେହିଭଳି ୨୦୦୯ରେ ଜୟରାମ ପାଙ୍ଗୀ ଏବଂ ୨୦୧୪ରେ ଝିନ ହିକକା ବିଜେଡି ଟିକେଟ୍‌ରେ ଲଢ଼ି ସାଂସଦ ହୋଇଥିଲେ। ଏହାପରେ ୨୦୧୯ ନିର୍ବାଚନରେ କୋରାପୁଟ ପାଇଁ ନୂଆ ରଣନୀତି ଆପଣେଇ ଖେଳିଥିଲା ମହିଳା କାର୍ଡ। ଝିନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ବିଜେଡି କରିଥିଲା ଲୋକସଭା ପ୍ରାର୍ଥୀ। ହେଲେ କୋରାପୁଟ ମିଶନରେ ଫେଲ୍ ମାରିଲା ବିଜେଡିର ରଣନୀତି। କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କଠାରୁ ମାତ୍ର ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହୋଇଯାଇଥିଲେ କୌଶଲ୍ୟା। ଏଥର ମଧ୍ୟ କୋରାପୁଟ ପାଇଁ ସମାନ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ପୁଣିଥରେ କୌଶଲ୍ୟା ହିକକାଙ୍କ ଉପରେ ଭରସା କରିଛି ଦଳ। କୋରାପୁଟ ଲୋକସଭା ଆସନ ପାଇଁ ବିଜେପି ଏଥର କାଳିରାମ ମାଝିଙ୍କୁ ପ୍ରାର୍ଥୀ କରିଛି।

ବ୍ରହ୍ମପୁର

ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି। ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ପାଇଁ ବିଜେଡ଼ିର ସେନାପତି ପାଲଟିଥିଲେ। ସେହିଭଳି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ। ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଜାଣନ୍ତୁ କେଉଁଠି, କେତେବେଳେ ମତଦାନ?

ବ୍ରହ୍ମପୁରର ୬ଟି ବିଧାନସଭା କ୍ଷେତ୍ରରେ ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି ୭ରୁ ୬ଟା ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଚିକିଟି ଓ ପାରଳାଖେମୁଣ୍ଡିରେ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

କୋରାପୁଟର ୪ଟି ବିଧାନସଭା କ୍ଷେତ୍ରରେ ୭ରୁ ୫ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ରୁ ୪ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୟପୁରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନୂଆପଡ଼ାର କିଛି ପୋଲିଂ ଷ୍ଟେସନରେ ୭ରୁ ୫ଟା ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୭ରୁ ୪ ସମୟ ନିର୍ଦ୍ଧାରିତ କରାଯାଇଛି। ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍‌ରେ ୪ଟା, ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଜୁନାଗଡ଼, ଧର୍ମଗଡ଼, ଭବାନିପାଟଣାରେ ୭ରୁ ୫ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

ନର୍ଲାର ୭ଟି ପୋଲିଂ ଷ୍ଟେସନରେ ୭ରୁ ୪ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ବାକିରେ ୫ଟା ଯାଏ ସମୟ ନିର୍ଦ୍ଧାରିତ କରାଯାଇଛି। ନବରଙ୍ଗପୁରର ୧୦ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୬ଟା ଯାଏ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି। ଡାବୁଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ ହୋଇଥିବାବେଳେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୬ଟା ଯାଏ ମତଦାନ ସମୟ ନିର୍ଦ୍ଧାରିତ କରାଯାଇଛି। କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ ଭୋଟିଂ ସମୟ ନିର୍ଦ୍ଧାରିତ କରାଯାଇଛି।

Leave A Reply

Your email address will not be published.