Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ମନା

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ତେବେ ପ୍ରଭୁଙ୍କ ଦର୍ଶନ ନେଇ ପ୍ରଶାସନ ତରଫରୁ ଏସଓପି ଜାରି କରାଯାଇଛି। ଭକ୍ତମାନେ ଏହାକୁ ମାନି ଦର୍ଶନ କରିପାରିବେ। ଭକ୍ତମାନେ ପ୍ରତିମାଙ୍କୁ ଛୁଇଁପାରିବେନି। ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାର ଜରୁରୀ । ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତକୁ ସାନିଟାଇଜର କରିବେ। ମନ୍ଦିର ଭିତରେ ଦୀପ ଜାଳିବାକୁ ବାରଣ କରାଯାଇଛି। ପାନ, ଗୁଟଖାକୁ ବର୍ଜନ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଆଜିଠୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେବାୟତ ପରିବାର ଦର୍ଶନ କରିବାର ସୁଯୋଗ ପାଇବେ। ସକାଳ ୭ଟା ୩୦ରୁ ପହୁଡ଼ ପର୍ଯ୍ୟନ୍ତ ମିଳିବ ମହାବାହୁଙ୍କ ଦର୍ଶନ। ୨୩ , ୨୪ ଓ ୨୫ ତାରିଖ ତିନି ଦିନ ଧରି ସେବାୟତ ପରିଚୟ ପତ୍ର ଦେଖାଇ ଯେକୌଣସି ଦ୍ୱାର ଦେଇ ପ୍ରବେଶ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖି ଫଟୋ ଉଠାଇ ସାନିଟାଇଜ ପରେ ଦର୍ଶନ ପାଇଁ ମନ୍ଦିରକୁ ଯିବେ।

ଏହାବ୍ୟତୀତ ସ୍ୱତନ୍ତ୍ର ବ୍ୟାରିକେଡ଼ ଦେଇ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ। ସେହିପରି ୨୬ ତାରିଖରୁ ୱାର୍ଡ ୱାରି ପୁରୀ ସହରବାସୀ ଦର୍ଶନ ସୌଭାଗ୍ୟ ପାଇବେ। ୩୧ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ୱାର୍ଡବାସୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ଜଣ ସ୍ୱେଛାସେବୀ ନିୟୋଜିତ ହେବ। ଜାନୁଆରୀ ୩ରୁ ଜିଲ୍ଲା ବାହାରର ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ଲାଗି ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ।

Comments are closed.