Odisha Link
Bridging the Missing Links in Odisha

ବକ୍ସିଂ ଡେ ଟେଷ୍ଟ: ଟିମ୍‌ ଇଣ୍ଡିଆର ଦମଦାର ପ୍ରଦର୍ଶନ, ଅଷ୍ଟ୍ରେଲିଆ ୧୯୫ରେ ଅଲଆଉଟ୍

ମେଲବର୍ଣ୍ଣ: ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି। ଟିମ୍‌ ଇଣ୍ଡିଆର ଶାଣିତ ବୋଲିଂ ଆଗରେ ହାର ମାନିଛି କଙ୍ଗାରୁ ବାହିନୀ। ବୁମରା , ଅଶ୍ବିନୀ ଓ ସିରାଜଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୯୫ରନରେ ଅଲଆଉଟ୍‌ କରିଛନ୍ତି।

ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କ ନିଷ୍ପତ୍ତିକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଟିମ୍‌ ଇଣ୍ଡିଆର ବୋଲର ମାନେ। ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିଲେ ପ୍ରାରମ୍ଭିକ ଯୋଡ଼ି ଜୋଏ ବର୍ଣ୍ଣସ୍‌ ଓ ମ୍ୟାଥୁ ଓ୍ବୋଡେ।ହେଲେ ଯଶପ୍ରୀତ୍‌ ବୁମରା ବର୍ଣ୍ଣସ୍‌ଙ୍କ ଓ୍ବିକେଟ ନେଇ ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ପରେ ଲାବୁଶସନ ଓ ଓ୍ବାଡେ ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦଳୀୟ ସ୍କୋର ୩୫ ହୋଇଥିବା ବେଳେ ଓ୍ବାଡେ ଅଶ୍ବିନୀଙ୍କ ଶିକାର ହୋଇ ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ଷ୍ଟିଭ୍‌ ସ୍ମିଥ ମଧ୍ୟ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ୍‌ ଫେରିଥିଲେ। ପରେ ଟ୍ରାଭିସ୍‌ ହେଡ ଲାବୁଶନ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ହେଲେ ଦଳୀୟ ସ୍କୋର ୧୨୪ ଥିବାବେଳେ ଟ୍ରାଭିସ୍‌ ହେଡ ପ୍ୟାଭିଲିଅନ୍‌ ଫେରିଥିଲେ। ତାଙ୍କ ପରେପରେ ଲାବୁଶନ୍‌ ଦଳ ପକ୍ଷରୁ ସର୍ବାଧିକ ୪୮ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ। ତାପରେ ଟିମ୍‌ ଇଣ୍ଡିଆ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନଥିଲେ କଙ୍ଗାରୁ ବାହିନୀ। ଯାହାଫଳରେ ୭୨.୩ ଓଭରରେ କଙ୍ଗାରୁ ବାହିନୀ ୧୯୫ ରନରେ ଅଲ୍‌ ଆଉଟ୍‌ ହୋଇ ଯାଇଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଯଶପ୍ରୀତ୍‌ ବୁମରା ୪ଟି ଓ୍ବିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନୀ ୩ଟି, ମହମ୍ମଦ ସିରାଜ ୨ ଟି ଓ୍ବିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୧ଓ୍ବିକେଟ ନେଇଛନ୍ତି।

Comments are closed.