Odisha Link
Bridging the Missing Links in Odisha

ବିଜେପି ନେତାଙ୍କୁ ହତ୍ୟା ଘଟଣା: ନିନ୍ଦା କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି । ଏଥିରେ ମନ୍ତ୍ରୀଙ୍କର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ ଘଟଣାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତିଯେ, ଘଟଣାକୁ ନେଇ ସେ ଦୁଃଖିତ ଓ ମର୍ମାହତ। ରାଜନୀତିରେ ହିଂସାର ସ୍ଥାନ ନାହିଁ। କୁଳମଣିଙ୍କୁ ଯିଏ ହତ୍ୟା କରିଛନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତାପ କହିଛନ୍ତି।

ପ୍ରକାଶ ଯେ, ଏହାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଥିବାରୁ ୩ ପ୍ଲାଟୁନରୁ ଅଧିକ ପୁଲିସ ମୁତୟନ କରାଯାଇଛି। ରାତି ପ୍ରାୟ ସାଢେ଼ ୭ଟା ସମୟରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଗାଁ ନୃତ୍ତାଙ୍ଗକୁ ଫେରୁଥିଲେ। ଯଁକୋଟି ବ୍ରାହ୍ମଣସାହି ନିକଟରେ ୬ ରୁ ଅଧିକ ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ।

କୁଳମଣି ଓ ଦିବ୍ୟସିଂହ ବାଇକରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଉଭୟଙ୍କ ମୁଣ୍ଡ ଓ ମୁହଁକୁ ହାଣି ଫେରାର ହୋଇଯାଇଥିଲେ। ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ମାହାଙ୍ଗା ଡାକ୍ତରଖାନାକୁ ନେଇଥିଲା। ଏଥିରେ ବିଜେଡ଼ିର ହାତ ରହିଛି ବୋଲି କୁଳମଣିଙ୍କ ପୁଅ ଅଭିଯୋଗ କରିଛନ୍ତି।

Comments are closed.