Odisha Link
Bridging the Missing Links in Odisha

ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ ଖୋଲନ୍ତୁ, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁ: ଡି.ପୁରଠେଶ୍ଵରୀ

ଭୁବନେଶ୍ୱର: ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା କଟକ ଜିଲ୍ଲା ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ବିଜେଡି ଦଳର ଭ୍ରଷ୍ଟାଚାର ବିରୁଦ୍ଧରେ କୁଳମଣି ବରାଳ ସ୍ୱର ଉଠାଇଥିବାରୁ ରାଜନୈତିକ ପ୍ରତିହିଂସା ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଛି। ଏହା ପୂର୍ବରୁ ୧ ବର୍ଷ ତଳେ ସମାନ ଢଙ୍ଗରେ ବିକାଶ ଜେନାଙ୍କୁ ହତ୍ୟା କରାଯାଇଥିଲା। ମାହାଙ୍ଗାରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉଠାଇଲେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ଶାସକ ଦଳର ଗୁଣ୍ଡାମାନେ ବିରୋଧୀଙ୍କୁ ହତ୍ୟା କରୁଛନ୍ତି। ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ପୂର୍ବରୁ ସେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନେଇଥିଲେ ଏବଂ ଏତଲା କପିରେ ମଧ୍ୟ ମନ୍ତ୍ରୀଙ୍କ ନାଁ ରହିଥିବାବେଳେ ପୁଲିସ କାହିଁକି ଏ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ବୋଲି ରାଜ୍ୟ ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।

ନୃତଙ୍ଗଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ନବୀନ ବାବୁଙ୍କ ଶାସନରେ ଓଡିଶାର ଲୋକମାନେ ଦୁଃଖ କଷ୍ଟରେ ଜୀବନଯାପନ କରୁଛନ୍ତି। ନବୀନ ବାବୁ ପଦାକୁ ଆସନ୍ତୁ, ଆଖି କାନ ଖୋଲନ୍ତୁ, ରାଜ୍ୟବାସୀଙ୍କ ସମସ୍ୟାର ସମାଧାନ କରନ୍ତୁ। ଶାସକ ଦଳ ନେତା ଏବଂ ତାଙ୍କ ସଂପର୍କୀୟମାନେ ଦୁର୍ନୀତିରେ ବୁଡି ରହିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭାଇଙ୍କ ନାଁରେ ଜାଲିଆତି କରି ଚାଷୀ ଋଣ ଉଠାଇବା ଅଭିଯୋଗ ରହିଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ରାଜ୍ୟସରକାର ଚୁପ୍ କାହିଁକି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ସାଢେ ୪ କୋଟି ଲୋକ ମୋ ପରିବାର। ସେହି ପରିବାରରେ କୁଳମଣି ବରାଳ, ଦିବ୍ୟ ସିଂହ ବରାଳ ଏବଂ ବିକାଶ ଜେନା ମଧ୍ୟ ସାମିଲ ଅଛନ୍ତି। ସେମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଓ ନ୍ୟାୟ ଦେଇପାରୁନାହାଁନ୍ତି ? ଲୋକମାନେ ନବୀନ ବାବୁଙ୍କୁ ଭୋଟ ଦେଇ ଶାସନ ଗାଦିରେ ବସାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଦାୟିତ୍ୱ ରହିଛି ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା। ସାଧାରଣ ଲୋକଙ୍କୁ ନ୍ୟାୟ ନ ମିଳିଲେ ଲୋକଙ୍କ ବିଶ୍ୱାସ ଭାଙ୍ଗିଯିବ। କୁଳମଣି ବରାଳ ପରିବାରଙ୍କ ଆଖିର ଲୁହ ନବୀନ ବାବୁଙ୍କ ପାଇଁ ଅଭିଶାପ ପାଲଟିବ। ଏହି ହତ୍ୟାକାଣ୍ଡରେ ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ।

ଏଠି ସାଧାରଣ ଲୋକକୁ ନ୍ୟାୟ ମିଳିପାରୁନାହିଁ। ୫ ବର୍ଷର କୁନି ଝିଅ ପରୀକୁ ମଧ୍ୟ ରାଜ୍ୟ ସରକାର ନ୍ୟାୟ ଦେଇ ପାରିଲେ ନାହିଁ। ରାଜ୍ୟରେ ଶିଶୁ ନିଖୋଜ ଘଟଣା ବୃଦ୍ଧି ହେବା ସହ ଅଙ୍ଗ ତସ୍କରୀ ଗ୍ୟାଙ୍ଗ ସକ୍ରିୟ ରହିଛି। ଏନସିଆରବି ରିପୋର୍ଟ ଅନୁସାରେ ଓଡିଶାରେ ମହିଳା ଓ ଶିଶୁଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି। ଓଡିଶାରେ ଶିଶୁ ଚୋରିର ରିକଭରି ରେଟ୍ ୧୪% ରହିଛି। ରାଜ୍ୟର ମା’ ଭଉଣୀମାନେ ସମ୍ମାନ, ସୁରକ୍ଷା ଏବଂ ନ୍ୟାୟ ପାଇବାରୁ ବଂଚିତ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସେମାନଙ୍କର ଆସ୍ଥା ତୁଟିଗଲାଣି ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି। ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ମାହାଙ୍ଗା ନିର୍ବାଚନମଣ୍ଡଳୀର ନୃତଙ୍ଗ ଗ୍ରାମକୁ ଯାଇ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ। ଆମେ ସେମାନଙ୍କ ପରିବାର ସହ ଅଛୁ। ଯେବେ ଯାଏଁ ମୃତକ ପରିବାର ଲୋକଙ୍କୁ ନ୍ୟାୟ ନମିଳିଛି ସେବେ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି।

ବିଜେଡି ଦଳର ଆନୁଗତ୍ୟ ହୋଇ କାର୍ଯ୍ୟ ନକରିବାରୁ ମୋତେ ଚାକିରିରୁ ବିଦା କରାଗଲା ବୋଲି ପୂର୍ବତନ ପୁଲିସ ଡିଜି ତଥା ବରିଷ୍ଠ ବିଜେପି ନେତାା ପ୍ରକାଶ ମିଶ୍ର କହିଛନ୍ତି। ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନମନ୍ତ୍ରୀ କେ.ଭି ସିଂହଦେଓ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ଶାରଦା ପ୍ରଧାନ, ବିନୋଦ ଦାସ, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.