Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ବିଧାନସଭା ଆଗରେ ଡ୍ରାମା କରୁଥିଲେ ପରୀ ବାପା, ମା’!

ନୟାଗଡ଼: ରାଜ୍ୟରେ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାକୁ ନେଇଛି ଲାଗି ରହିଛି ଚର୍ଚ୍ଚା। ପରୀ ହତ୍ୟା ମାମଲାରେ ଜଣେ ନାବାଳକ ଗିରଫ ହୋଇଥିଲେ ମଧ୍ୟ ରଜାନୀତି ସରୁନାହିଁ। ଏସବୁ ମଧ୍ୟରେ ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ପଛରେ ଥିବା ରହସ୍ୟ ସାମନାକୁ ଆସିଛି। ଭାଇରାଲ ଭିଡିଓ ଘଟଣାର ମୋଡ଼ ବଦଳାଇବାକୁ ନେଇ ରଚାଯାଇଥିବା ଷଡ଼ଯନ୍ତ୍ରକୁ ଧରା ପକାଇଛି। ପରୀକୁ ନ୍ୟାୟ ଦାବିରେ ଆତ୍ମହତ୍ୟା ଉଦ୍ୟମ ନୁହେଁ, ବିଧାନସଭା ଆଗରେ ହାଇଡ୍ରାମା କରୁଥିବା ପରୀ ବାପା ଓ ମାଆଙ୍କ ଅସଲ ମୁଖା ସର୍ବସାଧାରଣରେ ଉନ୍ମୁକ୍ତ ହୋଇଛି।

ସୂଚନାନୁସାରେ, ଗୁରୁବାର ଏକ ୫ ମିନିଟ ୫୮ ସେକେଣ୍ଡ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ପରୀ ବାପା ଅଶୋକ ସାହୁ, ମାଆ ସୈାଦାମିନି ସାହୁ ଏବଂ ନୟାଗଡ଼ ବଲାଙ୍ଗୀବନ୍ଧ ସାହିର ଶ୍ରୀଧର ପ୍ରଧାନ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ବିଭିନ୍ନ ଟିଭି, ଗଣମାଧ୍ୟମ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ବଦ୍ଧରେ ଦୀର୍ଘ ସମୟ ଆଲୋଚନା ଚାଲିଥିବା ବେଳେ ବିଧାନସଭା ଆଗରେ ପରୀ ବାପା ମାଆ ଯେଉଁ ଡ୍ରାମା କଲେ ବୋଲି ଶ୍ରୀଧର ପ୍ରଧାନ ଇଙ୍ଗିତ କରିଛନ୍ତି। ଯାହାକୁ ପରୀ ବାପା ମା’ ସ୍ୱୀକାର କରୁଥିବା ମଧ୍ୟ ଶୁଣିବାକୁ ମିଳିଛି। ଏହି ସମୟରେ ଏକ ଫୋନ କଲ ଆସିବାରୁ ଭିଡିଓ ପ୍ରସ୍ତୁତ ଅଧାରେ ରହିଥିବା ବେଳେ, ଏହି ଗୋଟିଏ ମାତ୍ର ଇଙ୍ଗୀତ ସବୁ ରହସ୍ୟକୁ ସାମନାକୁ ଆଣିଛି। ବିଧାନସଭା ଆଗରେ ଯେଉଁ ଆତ୍ମହତ୍ୟାର ନାଟକ ରଚନା କରାଯାଇଥିଲା, ତାହା ପଛରେ ଶ୍ରୀଯୁକ୍ତ ପ୍ରଧାନ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କ ହାତ ଥିବା ସ୍ପଷ୍ଟ ହୋଇଛି। ଏପରିକି ସରୋଜ, ତାଙ୍କ ମାଆ ଏବଂ ଭଉଣୀଙ୍କୁ ମଧ୍ୟ ଉକ୍ତ ଗୋଷ୍ଠୀ ପ୍ରଭାବିତ କରିଥିବା ଆଲୋଚନା ହେଉଛି।

ଏପରିକି ଷଡ଼ଯନ୍ତ୍ର ରଚନା କରି ଘଟଣାର ମୋଡ଼ ବଦଳାଇବାକୁ ୨୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ଅଭିଯୋଗ ଆସିଥିଲା। ଏବେ ଏହି ଭିଡିଓ ଭାଇରାଲ ହେବା ପରେ ସବୁ ଷଡ଼ଯନ୍ତ୍ରର ଖୁଲାସା ଆରମ୍ଭ ହେଲା ବୋଲି ନୟାଗଡ଼ରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ, ଏହି ଷଡ଼ଯନ୍ତ୍ର ପଛରେ କିଛି ନେତା ମଧ୍ୟ ସାମିଲ ଥିବା ଆଲୋଚନା ହେଉଛି। ଏସ୍‌ଆଇଟି ଏହି ଷଡ଼ଯନ୍ତ୍ର ଘଟଣାର ରହସ୍ୟ ଉନ୍ମୋଚନ କରି ଷଡ଼ଯନ୍ତ୍ର ରଚୟିତାଙ୍କୁ ଗିରଫ କରିବାକୁ ଦାବି ହେଉଛି।

Comments are closed.