Odisha Link
Bridging the Missing Links in Odisha

୩ କୋଟିଙ୍କୁ ମାଗଣା ଟିକା: ମୋଦି

ନୂଆଦିଲ୍ଲୀ: ପ୍ରଥମ ଦଫାରେ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏ ବାବଦେ ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ଭରଣା କରିବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ଏହା କହିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନସିଂରେ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି। ଜାନୁୟାରୀ ୧୬ ତାରିଖ ଦିନ ଭାରତରେ ବିଶ୍ୱର ସର୍ବ ବୃହତ୍ତ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ।

ଏଥିପାଇଁ କେନ୍ଦ୍ର ସରକାର ଦୁଇଟି ‘ମେଡ-ଇନ-ଇଣ୍ଡିଆ’ ଟିକାକୁ ଜରୁରି ମଞ୍ଜୁରି ପ୍ରଦାନ କରିଛନ୍ତି। ଦେଶରେ କରୋନା ଭାଇରସ ମହାମାରୀର ମୁକାବିଲାରେ ରାଜ୍ୟ ସରକାରମାନଙ୍କ ସହଯୋଗକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଖାସ ଏଥି ଲାଗି ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ କରୋନା ଏତେଟା ପ୍ରକୋପ କରିପାରିନଥିବା ମୋଦି କହିଛନ୍ତି। ଦେଶରେ ସର୍ବ ପ୍ରଥମେ ସେମାନଙ୍କର ଟିକାକରଣ ହେବ ଯେଉଁମାନେ ଆଗଧାଡିରେ ରହି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏପରି ଲୋକଙ୍କ ମୋଟ ସୂଚୀକୁ ସଂଯୁକ୍ତ କରି ଦେଖିଲେ ଏମାନଙ୍କ ସଂଖ୍ୟା ପ୍ରାୟ ୩ କୋଟି ହେବ।

ଏମାନଙ୍କର ଟିକାକରଣ ଖର୍ଚ୍ଚ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭରଣା କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବକୁ ପଡିବନି। ପ୍ରାରମ୍ଭିକ ପର୍ଯ୍ୟାୟ ଟିକାକରଣ ପରେ ଦେଶରେ ୩୦ କୋଟି ଲୋକଙ୍କ ଟିକାକରଣ ଲାଗି ସରକାର ଲକ୍ଷଧାର୍ଯ୍ୟ କରିଛନ୍ତି। ତେବେ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନଙ୍କ ବୟସ ୫୦ ବର୍ଷ ବା ତଦୁର୍ଦ୍ଧ୍ୱ ସେମାନଙ୍କୁ ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ବୟସାଧିକ୍ୟ ସାଙ୍ଗକୁ ଏକାଧିକ ରୋଗ ଥିବା ଲୋକଙ୍କ ଟିକାକରଣ ସୁନିଶ୍ଚିତ କରାଯିବ।

Comments are closed.