ଭିକ୍ଷୁକ ମୁକ୍ତ ହେବ ଭୁବନେଶ୍ୱର

ଭୁବନେଶ୍ୱର: ଭିକ୍ଷୁକ ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରରେ ଭିକ୍ଷୁକଙ୍କୁ ଥଇଥାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଯୋଜନା କରିଛି। ରାଜଧାନୀରେ ଭିକ୍ଷାବୃତ୍ତି ବନ୍ଦ ସହ ଭିକ୍ଷୁକଙ୍କୁ ଥଇଥାନ ନେଇ ନିଷ୍ପତ୍ତି ନେଇଛି ବିଏମ୍ସି। ଏଥିସହ ବାସହୀନ ଓ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳୀକୁ ନେବା ପାଇଁ ମଧ୍ୟ ଯୋଜନା କରିଛି ବିଏମ୍ସି।
ଭିକ୍ଷୁକଙ୍କୁ ଚିହ୍ନଟ କରାଯାଇ ଆଶ୍ରୟସ୍ଥଳୀରେ ରଖାଯିବା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଏବଂ ଆଲୋଚନା ମାଧ୍ୟମରେ ଆତ୍ମନିର୍ଭର କରାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ରାଜଧାନୀରେ ଥିବା ସମସ୍ତ ଭିକ୍ଷୁକଙ୍କୁ ଚିହ୍ନଟ କରିବା ପାଇଁ ବିଏମ୍ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ବିଏମ୍ସିର ପ୍ରତି ଆଞ୍ଚଳିକ କାର୍ଯ୍ୟାଳୟରେ ଗୋଟିଏ ଗୋଟିଏ ଥଇଥାନ କେନ୍ଦ୍ର ଖୋଲାଯିବାକୁ ଯୋଜନା ହୋଇଛି। ପ୍ରତ୍ୟେକ ଥଇଥାନ କେନ୍ଦ୍ରକୁ ଶହେ ଶଯ୍ୟା ବିଶିଷ୍ଟ କରାଯିବ। ପେଷାଦାର ସଂସ୍ଥାଙ୍କୁ ନିୟୋଜିତ କରାଯାଇ ସେମାନଙ୍କ ମାଧ୍ୟମରେ ଏହାର ପରିଚାଳନା କରାଯିବା ନେଇ ସୂଚନା ମିଳିଛି।