Odisha Link
Bridging the Missing Links in Odisha

ନିଜେ ପଢ଼ି ପାରିନଥିଲେ, ୭୫ ବର୍ଷ ଧରି ଗାଁ ପିଲାଙ୍କ ଭବିଷ୍ୟତ ଗଢ଼ି ଚାଲିଛନ୍ତି

ଭୁବନେଶ୍ବର: ସୋମବାର କେନ୍ଦ୍ର ସରକାର ୨୦୨୧ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଚଳିତ ବର୍ଷ ଓଡ଼ିଶାରୁ ୬ ଜଣ ପାଇବେ ପଦ୍ମ ପୁରସ୍କାର।

ଦାରିଦ୍ର‍୍ୟର ଆଘାତରେ ନିଜ ପାଠ ପଢ଼ାରେ ଡୋରି ବାନ୍ଧିଥିଲେ। ପରିବାର ପ୍ରତିପୋଷଣ କରିବା ପାଇଁ ବିଲରେ ଚାଷ କାମ କରିଥିଲେ। ଯାହାରି ଫଳରେ ଉଚ୍ଚ ଶିକ୍ଷାର ଆଶା ଆଶାରେ ହିଁ ରହିଗଲା। ହେଲେ ଶିକ୍ଷାପ୍ରତି ଦୁର୍ବଳତା ଥିଲା ତାଙ୍କର। ଦୀର୍ଘ ୭୫ ବର୍ଷ ଧରି ଶିକ୍ଷାକ୍ଷେତ୍ରରେ ନିରବଚ୍ଛିନ୍ନ ସାଧନା ଯୋଗୁଁ ଯାଜପୁର କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି (ନନ୍ଦ ସାର) ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ନିଜେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ।

ନନ୍ଦ ସାରଙ୍କ ଅଜଣା କଥା:
୧୯୩୯ ମସିହାର କଥା। କନ୍ତିରା ଗ୍ରାମର ନନ୍ଦ କିଶୋର ପୃଷ୍ଟି ନାମକ ଜଣେ ଛାତ୍ର ହାତିବାରୀ ଗ୍ରାମର ମାଇନର ସ୍କୁଲରୁ ୭ମ ଶ୍ରେଣୀ ପାସ୍‌ କଲେ। ପରେ ପାଠ ପଢ଼ାରେ ଡୋରି ବାନ୍ଧି ପରିବାର ପ୍ରତିପୋଷଣ ପାଇଁ ନଙ୍ଗଳ କଣ୍ଟି ଧରିଥିଲେ। ଉଚ୍ଚ ଶିକ୍ଷାର ଆଶା ଆଶାରେ ହିଁ ରହିଗଲା। ସେ ସିନା ପଢ଼ି ପାରିଲେ ନାହିଁ କିନ୍ତୁ ଗାଁ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ୧୯୪୬ ମସିହାରେ ସେ ଆରମ୍ଭ କଲେ ଚାଟଶାଳୀ। ଯାହା ଇତି ମଧ୍ୟରେ ୭୫ ବର୍ଷ ଅତିକ୍ରମ କରି ସାରିଲାଣି। ମାତ୍ର ନନ୍ଦ ସାର ଏବେ ବି ୧୦୨ବର୍ଷ ବୟସରେ ସାଧନା ଜାରି ରଖିଛନ୍ତି। ନନ୍ଦସାରଙ୍କ ନିକଟରେ ପାଠ ପଢ଼ି କନ୍ତିରା ଗ୍ରାମର ବହୁ ବ୍ୟକ୍ତି ଇଂଜିନିୟର, ଶିକ୍ଷକ, ପୋଷ୍ଟମାଷ୍ଟର ଓ ଡାକ୍ତର ମଧ୍ୟ ହୋଇଛନ୍ତି । ନନ୍ଦ ସାର ଏତେ ବର୍ଷ ଧରି ଦେଶର ଭବିଷ୍ୟତ ଗଢ଼ି ଚାଲିଥିଲେ ମଧ୍ୟ କୌଣସି ଛାତ୍ର ଠାରୁ ଟଙ୍କାଟିଏ ବି ଗୁରୁ ଦକ୍ଷିଣା ନିଅନ୍ତି ନାହିଁ। ନନ୍ଦ ସାରଙ୍କ ଚାଟଶାଳୀରେ ଏବେ ୩୨ଜଣ ଛାତ୍ରଛାତ୍ରୀ ପାଠ ପଢୁ଼ଛନ୍ତି।

ନନ୍ଦ ସାରଙ୍କ ବ୍ୟତୀତ ସୁଦର୍ଶନ ସାହୁଙ୍କୁ କଳା ପାଇଁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ। ସେହିପରି ଶାନ୍ତି ଦେବୀଙ୍କୁ ସମାଜସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। କଳା କ୍ଷେତ୍ରରେ ଉତ୍କଷତା ପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

ସେହିପରି ରଜତ କୁମାର କରଙ୍କୁ ଶିକ୍ଷା ଏବଂ ସାହିତ୍ୟ କ୍ଷତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ। ଡକ୍ଟର କୃଷ୍ଣ ମୋହନ ପାଠୀଙ୍କୁ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯିବ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ତାଲିକା ପ୍ରକାଶ କରାଯାଇଛି। ବିିଭିନ୍ନ କ୍ଷେତ୍ରରେ ଉତ୍କଷତା ଲାଭି କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହା ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରୁ ଅନ୍ୟତମ।

ଚଳିତ ବର୍ଷ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କ ମିଳିବ ପଦ୍ମଶୀ ପୁରସ୍କାର। ମୋଟ୍‌ ୧୧୯ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

Comments are closed.