ଜାନୁଆରୀ ୩୧ ତାରିଖ ଯାଏଁ ବନ୍ଦ ରହିବ ଲାଲ୍ କିଲ୍ଲା

ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ପରିଦର୍ଶକଙ୍କ ପାଇଁ ବନ୍ଦ ରହିବ ଲାଲ୍ କିଲ୍ଲା। ଏନେଇ ଗତକାଲି ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ ଏକ ଆଦେଶନାମାରେ କହିଛି। ବନ୍ଦ ରହିବା ନେଇ ଆଦେଶନାମାରେ କିଛି ଉଲ୍ଲେଖ ନାହିଁ।
ଗତ ସାଧାରଣତନ୍ତ୍ର ଦିବସ ଦିନ ଆନ୍ଦେଳନକାରୀ କୃଷକମାନେ ବଳପୂର୍ବକ ଲାଲ୍ କିଲ୍ଲା ମଧ୍ୟକୁ ପ୍ରବେଶ କରିଥିଲେ। ସେଥିଯୋଗୁଁ ଏହାର କୌଣସି କ୍ଷୟକ୍ଷତି ହୋଇଛି କି, ନାହିଁ, ସେ ସଂକ୍ରାନ୍ତରେ ଏହି ସମୟରେ ଅନୁଧ୍ୟାନ କରାଯିବ ବୋଲି ଆଶା କରାଯାଉଛି।
ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରହ୍ଲାଦ ସିଂହ ପଟେଲ୍ ବୁଧବାର ଦିନ ଲାଲ୍ କିଲ୍ଲା ଗସ୍ତରେ ଯାଇ ଅବସ୍ଥାର ସମୀକ୍ଷା କରିଥିଲେ। ଏ ସଂକ୍ରାନ୍ତରେ ରିପୋର୍ଟ ଦାଖଲ କରିବା ଲାଗି ସେ ‘ଭାରତର ପ୍ରତ୍ନତତ୍ତ୍ୱ ସର୍ଭେ’କୁ କହିଛନ୍ତି।
ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡ ପରେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋଚିତ୍ର ଏବଂ ଭିଡିଓରେ ଦେଖାଯାଉଛି ଯେ, ଲାଲ୍ କିଲ୍ଲା ପରିସରସ୍ଥ ‘ମେଟାଲ୍ ଡିଟେକ୍ଟର୍ ଗେଟ୍’ ଏବଂ ଟିକେଟ୍ କାଉଣ୍ଟର୍ ସମେତ ଅନେକ କିଛି ଭାଙ୍ଗିରୁଜି ଯାଇଛି।