ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି: ବିଜେପି

ଭୁବନେଶ୍ବର: ମାହାଙ୍ଗ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଛି ବିଜେପି। ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଥିବା କହିଲା ବିଜେପି। ଏନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା। ବିଧାୟକଙ୍କ ଟ୍ରାନ୍ସପୋର୍ଟ ଅଫିସ ସାମ୍ନାରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଛି। ଯେମିତି ଦେଖାଯାଇଛି ତାଙ୍କୁ ପୂରା ଦଳି ଚକଟି ମକଚି ଦିଆଯାଇଛି। ମୁଖ୍ୟ ଅଭିଯୁକ୍ତ ଥିଲେ କେଉଁଠି,ତାଙ୍କୁ ସେମାନେ ଲୁଚାଇ ରଖିଥିଲେ। ପ୍ରଫୁଲ୍ଲ ବହୁତ କଥା ଜାଣିଥିଲେ। ପ୍ରଘଟ ଆଶଙ୍କାରେ ହତ୍ୟା ହୋଇଛି। କିଛି ପ୍ରଘଟ ଆଶଙ୍କାରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।
ପ୍ରକାଶ ଯେ, ମାହାଙ୍ଗା ଡବଲ ମର୍ଡର ଘଟଣା ଏବେ ନୂଆ ମୋଡ଼ ନେଇଛି। ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ଉଦ୍ଧାର। ଟାଙ୍ଗୀ ଅଞ୍ଚଳରୁ ପ୍ରଫୁଲ୍ଲଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ନିର୍ମାଣଧୀନ ଟୋଲ ଗେଟ ନିକଟରୁ ପ୍ରଫୁଲ୍ଲଙ୍କ ମୃତଦେହ ମିଳିଥିବା ବେଳେ ଟ୍ରକ ଚାପାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ହୋଇଛି। ତେବେ ଏହା ଦୁର୍ଘଟଣା ନା ସୁପରିକଳ୍ପତି ହତ୍ୟାକାଣ୍ଡ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ମାହାଙ୍ଗା ଡବଲ ମର୍ଡର ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳ ଗତ କିଛିଦିନ ହେବ ଫେରାର ହୋଇ ଯାଇଥିଲା। ଆଉ ହଠାତ୍ ଗତକାଲି ରାତିରେ ଟାଙ୍ଗୀ ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର କରାଯିବାକୁ ନେଇ ରାଜନୀତି ତେଜିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ବିଜେପି ଦାବି କରିଛି।
ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲଙ୍କ ପାଖରେ ପୋଲିସ ପହଞ୍ଚି ପାରୁନଥିବା ବେଳେ ଏବେ ପ୍ରଫୁଲ୍ଲଙ୍କ ମୃତ୍ୟୁ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ପ୍ରଫୁଲ୍ଲଙ୍କ ମୃତ୍ୟୁ ସହ ମାହାଙ୍ଗା ମର୍ଡର ମାମଲା ରହସ୍ୟ ଭିତରକୁ ଠେଲି ହୋଇଯାଇଛି। ପୂର୍ବରୁ ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଥିଲା ବିଜେପି।