Odisha Link
Bridging the Missing Links in Odisha

ବନଜାତ ଦ୍ରବ୍ୟ ଆନ୍ତର୍ଜାତୀୟ ସ୍ତରରେ ଉପଲବ୍ଧ: ସମୀର

ଭୁବନେଶ୍ୱର: ସାଧାରଣ ଜନତାଙ୍କ ମୈାଳିକ ଆବଶ୍ୟକତାକୁ ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ମୋଦି ସରକାର କେନ୍ଦ୍ରରୁ ବିପୁଳ ଅର୍ଥ ଦେବା ସତ୍ୱେ ବାସଗୃହ, ଶୈାଚାଳୟ, ପାନୀୟ ଜଳ ଭଳି ମୈାଳିକ ଆବଶ୍ୟକତାରୁ ବହୁ ଦୂରରେ ଅଛନ୍ତି କନ୍ଧମାଳ ଜିଲ୍ଲାବାସୀ। ପଛୁଆ ଜିଲ୍ଲା ଭାବେ ପରିଗଣିତ କନ୍ଧମାଳ ଜିଲାବାସୀଙ୍କୁ ଦାରିଦ୍ର‍୍ୟତା ଓ କଷଣତାରୁ ଦୂର କରିବା ପାଇଁ ଅମୋଘ ଅସ୍ତ୍ର ଭାବେ ପ୍ରଧାନମନ୍ତ୍ରୀ ବନଧନ ଯୋଜନା କାର୍ଯ୍ୟକାରୀ କରାଯାଇଛି।

‘ପ୍ରଧାନମନ୍ତ୍ରୀ ବନଧନ ଯୋଜନା’ ଓ ‘ଭୋକାଲ ଫର ଲୋକାଲ’ ଦ୍ୱାରା ସ୍ଥାନୀୟ ଅଞ୍ଚଳର ପ୍ରମୁଖ ଉତ୍ପାଦ ଭାବେ ପରିଗଣିତ ବିଶ୍ୱବିଖାତ ହଳଦୀ, ଝୁଣା, ମହୁ, ଶାଳମଞ୍ଜି, ଆମ୍ବ, ସପୁରୀ ଆଦି ବନଜାତ ଦ୍ରବ୍ୟ ଆନ୍ତର୍ଜାତୀୟ ସ୍ତରରେ ଅତି ସହଜରେ ଉପଲବ୍ଧ ହେବା ସହ ସେମାନଙ୍କ ଆର୍ଥୀକ ଅଭିବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ।

ଏହି ସମସ୍ତ ଲଘୁଜାତ ବନଜାତ ଦ୍ରବ୍ୟର ସଂଗ୍ରହ, ପ୍ରୋସେସିଂ, ମାର୍କେଟିଂ ଆଦି ପାଇଁ କେନ୍ଦ୍ର ସରକାର ପ୍ରଚୁର ମାତ୍ରାରେ ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର ରାଜ୍ୟ ସରକାର ଓ ପ୍ରଶାସନର ଆନ୍ତରିକତାର ଅଭାବ କାରଣରୁ ଏହି ସମସ୍ତ ବନଜାତ ଦ୍ରବ୍ୟର ସଠିକ ମୂଲ୍ୟ ପାଇବାରେ ଅଞ୍ଚଳବାସୀ ବଞ୍ଚିତ ହେଉଛନ୍ତି ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ କହିଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାକୁ ରେଳ ଯୋଗେ ସଂଯୋଗ ପାଇଁ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା–ବଲାଙ୍ଗୀର ରେଳପଥର ବିକାଶକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ଦିନଠୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ପ୍ରତି ବର୍ଷ ବଜେଟରେ ବିପୁଳ ପରିମାଣର ଅର୍ଥ ପ୍ରଦାନ କରୁଛନ୍ତି।

ମାତ୍ର ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବାରେ ବିଫଳ ହେବା କାରଣରୁ ଏହି ବହୁ ପ୍ରତିକ୍ଷୀତ ରେଳ ସଂଯୋଗୀକରଣ ସମ୍ଭବ ହୋଇପାରୁନାହିଁ ଏବଂ କନ୍ଧମାଳବାସୀ ରେଳସେବା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସମୀରି ମହାନ୍ତି କହିଛନ୍ତି। ସମୀରି ମହାନ୍ତିଙ୍କ କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ଆଜି ଫୁଲବାଣୀଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ସୈନିକ ମୁକ୍ତିକାନ୍ତ ମହାନ୍ତି, ଆଶିଷ କୁମାର ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତବିଶେଷ ପାର୍ଟିରେ ଯୋଗଦାନ କରିଥିଲେ।

ସେହିପରି ଚକାପାଦଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଯୁବନେତା ସୁମନ୍ତ ନାଏକ, ଅରୁଣ ପ୍ରଧାନ, ଶୁଭେନ୍ଦୁ ପ୍ରଧାନଙ୍କ ସମେତ ବହୁ ଯୁବକ ପାର୍ଟିରେ ସାମିଲ ହୋଇଥିଲେ। ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କରେନ୍ଦ୍ର ମାଝୀ, ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ଭଗବାନ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

Comments are closed.