କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ହରି କାଉଡ଼ି ଓ ତାଙ୍କ ପତ୍ନୀ ମୋତି କାଉଡିଙ୍କର ଏକ ଛୋଟ ପରିବାର।
ଏହି ଦମ୍ପତିଙ୍କର ଗୋଟିଏ ଚାରି ବର୍ଷର ଝିଅ ରଜନୀ କାଉଡ଼ି। ତେବେ ପ୍ରତିଦିନ ଭଳି ଗତକାଲି ମଧ୍ୟ ଏହି ପରିବାରର ସମସ୍ତ ସଦସ୍ୟା ରାତ୍ରୀ ଭୋଜନ କରିବା ପରେ ଶୋଇ ପଡିଥିଲେ। କିନ୍ତୁ ସକାଳ ହେବା ମାତ୍ରେ ପରିବାର ଲୋକେ ମୋତି ଏବଂ ତାଙ୍କ ଝିଅ ରଜନୀକୁ ପାଇନଥିଲେ। ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା।
ତେବେ ସ୍ଥାନୀୟ ଲୋକେ ଏକ ପରିତ୍ୟକ୍ତ କୂଅକୁ ଯାଇ ଦେଖିଲା ବେଳକୁ ମା’ ଓ ଝିଅଙ୍କର ମୃତଦେହ ଭାସୁଥିଲା। ତୁରନ୍ତ ପରିବାର ଲୋକେ ମାଥିଲି ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଥିସହ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ମା’ ଏବଂ ଝିଅଙ୍କୁୁ କୂଅରୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।
ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘରେ ପାରିବାରିକ ଗଣ୍ଡଗୋଳ ନଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଦାରିଦ୍ର୍ୟର ତାଡନା ଯୋଗୁଁ ମା’ ଓ ଝିଅ ଦୁହେଁ ଆତ୍ମହତ୍ୟା କରିଛନ୍ତି କି ବୋଲି ଏଠାରେ ପ୍ରଶ୍ନ ଉଠୁଛି। ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର କହିହେବ ବୋଲି ଆଇଆଇସି ରଘୁନାଥ ମାଝି ପ୍ରକାଶ କରିଛନ୍ତି। ଦୁହିଁକୁ କେହି ହତ୍ୟା ପରେ କୂଆରେ ଫିଙ୍ଗି ଦେଇଛି କି ବୋଲି ମଧ୍ୟ ସାଧାରଣରେ ସଂଦେହ କରାଯାଉଛି। ପୁଲିସ ସବୁ ଦିଗକୁ ତର୍ଜମା କରୁଥିବା କହିଛି ।
ଏଭଳି ସ୍ପର୍ଶକାତର ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରେ ଜନସମାଗମ ହୋଇଯାଇଥିଲା। ଖବର ପାଇ ତହସିଲଦାର ପୁରୁଷତ୍ତମ ମିର୍ଦ୍ଧା, ଆଇଆଇସି ରଘୁନାଥ ମାଝି, ଏସ୍ଆଇ ଶିବ ପ୍ରସାଦ ଭଦ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଘଟଣା ପରେ ଏହି ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।