ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ଟାସ୍କଫୋର୍ସ ଗଠନ

ଭୁବନେଶ୍ଵର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ପୋଡ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସୋମବାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି।
ଟାସ୍କଫୋର୍ସରେ ମୋଟ ୯ ଜଣ ସଦସ୍ୟ ରହିବେ। ସେମାନଙ୍କ ମଧ୍ୟରେ ଡେରାଡୁନ ଏବଂ ହାଇଦ୍ରାବାଦର ୩ ଜଣ ବିଶେଷଜ୍ଞ ମଧ୍ୟ ସାମିଲ ହୋଇଛନ୍ତି। ଜଙ୍ଗଲ ନିଆଁର ସମୀକ୍ଷା କରିବା ସହିତ ତାହାର କାରଣ ଓ ନିରାକରଣ ଦିଗରେ ଟାସ୍କଫୋର୍ସ ପଦକ୍ଷେପ ନେବ। ଏହା ସହିତ ପ୍ରତିଦିନ ଅପରାହ୍ନରେ ଟାସ୍କଫୋର୍ସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯିବ।