କାଲିଠୁ ହୁଇଲ ଚେୟାରରେ ପ୍ରଚାର କରିବେ ମମତା

କଲିକତା: ମମତା ଦିଦି ଡାକ୍ତରଖାନାରୁ ବାହାରିବା ପରେ ପୁଣି ସରଗରମ ହୋଇଛି ପଶ୍ଚିମବଙ୍ଗର ରାଜନୀତି। ହୁଇଲ ଚେୟାରରେ ଡାକ୍ତରଖାନାରୁ ବାହାରିଥିବା ଦିଦି ଆସନ୍ତା କାଲିଠୁ ପ୍ରଚାର ମୈଦାନକୁ ଓହ୍ଲାଇବେ। ଏନେଇ ଦଳ ପକ୍ଷରୁ ତିଆରି ହେଲାଣି ରୋଡମ୍ୟାପ୍।
ଏହାରି ଭିତରେ ପଶ୍ଚିମବଙ୍ଗ ରାଜନୀତିରେ ପ୍ରବେଶ କରିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀରେ ଡେରା ପକାଇଥିବା ଚାଷୀ, କୋଲକାତାରେ ପହଁଚି, କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ତେବେ ହସ୍ପିଟାଲରୁ ଦିଦି ଫେରିବା ସହିତ ଟିଏମସି କ୍ୟାମ୍ପକୁ ବଳ ମିଳିଛି। ଦଳ ତିଆରି କରିଛି ଆଗାମୀ ରଣନୀତି।
ସେପଟେ ପଶ୍ଚିମବଙ୍ଗ ରାଜନୀତିରେ ଆଜି ଦେଖିବାକୁ ମିଳିଛି ଏହି ରୋଚକ ଚିତ୍ର। ମୋଦୀ ବିରୋଧୀ ଭାବେ ଜଣାଶୁଣା କେନ୍ଦ୍ରୀୟ ଚେହେରା ,ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା ତୃଣମୂଳ କଂଗ୍ରେସରେ ମିଶିଛନ୍ତି। କୋଲକାତାରେ ଦଳୀୟ କାର୍ଯ୍ୟାଳୟରେ ଟିଏମସି ପତାକା ଧରିଛନ୍ତି ଯଶୱନ୍ତ ସିହ୍ନ।
ଅନ୍ୟପଟେ ଦିଲ୍ଲୀର ଚାଷୀ ଆନ୍ଦୋଳନ ଆସି ପହଁଚିଗଲାଣି ପଶ୍ଚିମବଙ୍ଗରେ। ଆଜି କୋଲକାତାରେ ପହଁଚିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସଂଯୁକ୍ତ କିଷାନ ମୋର୍ଚ୍ଚା କୋଲକାତାରେ କରିଛି ମହାପଞ୍ଚାୟତ। ପଶ୍ଚିମବଙ୍ଗରେ ଅଛନ୍ତି ପ୍ରାୟ ୭୩ ଲକ୍ଷ ଚାଷୀ ପରିବାର। ଏହି ସମସ୍ତ ଚାଷୀ ପରିବାରକୁ ବିଜେପି ବିରୋଧରେ ଭୋଟ୍ ଦେବାକୁ ଅପିଲ୍ କରିବାକୁ କଲିକତାରେ ପହଁଚିଛନ୍ତି ରାକେଶ ଟିକାୟତ।